ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ):ସିବିଏସ୍ଇ ପୋର୍ଟାଲ୍ ଉପରେ ଭୀଷଣ ସାଇବର ଆକ୍ରମଣ । ଛାତ୍ରଛାତ୍ରୀଙ୍କ ଆବେଦନ ପ୍ରକ୍ରିୟାର ପ୍ରଥମ ଦିନରେ ହିଁ ଏହି ଭୟଙ୍କର ସାଇବର ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ପୋର୍ଟାଲକୁ ଅଚଳ କରିବା ପାଇଁ ମାତ୍ର ଦୁଇ ମିନିଟ୍ ମଧ୍ୟରେ ପ୍ରାୟ ୧.୫ ମିଲିୟନ୍ (୧୫ଲକ୍ଷ) ଆଟାକ୍ (ସେବା ପ୍ରତ୍ୟାଖ୍ୟାନ) ସୃଷ୍ଟି କରିଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କ ଗୁପ୍ତ ତଥ୍ୟ ଚୋରି କରିବା ଉଦ୍ଦେଶ୍ୟରେ ୧ ଲକ୍ଷରୁ ଅଧିକ ଥର ଅନଧିକୃତ ଭାବେ ଫାଇଲ ହାସଲ କରିବାକୁ ଚେଷ୍ଟା କରାଯାଇଥିଲା।
ଏହି ସାଂଘାତିକ ସାଇବର ଆକ୍ରମଣ ସତ୍ତ୍ୱେ ସିବିଏସ୍ଇର ବୈଷୟିକ ଦଳର ସତର୍କତା ଯୋଗୁଁ ହ୍ୟାକର୍ସମାନେ ସଫଳ ହୋଇପାରିନାହାନ୍ତି। ସେପଟେ ସିବିଏସ୍ଇ ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ସେୟାର କରି କହିଛି ଯେ, ବ୍ୟାପକ ସାଇବର ଆକ୍ରମଣ ସତ୍ତ୍ୱେ ପୋର୍ଟାଲ୍ ସକାଳ ୭ଟାରୁ ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲା। ହଜାର ହଜାର ଛାତ୍ରଛାତ୍ରୀ କୌଣସି ବାଧା ବିନା ୱେବସାଇଟ୍ ବ୍ୟବହାର କରିଥିଲେ। ପ୍ରଥମ ଦିନ ଅପରାହ୍ନ ୩ଟା ସୁଦ୍ଧା ପୋର୍ଟାଲ୍ ମାଧ୍ୟମରେ ୧୮,୦୦୦ରୁ ଅଧିକ ସଫଳ ପୁନଃମୂଲ୍ୟାୟନ ଏବଂ ଯାଞ୍ଚ ଆବେଦନ ଗ୍ରହଣ କରାଯାଇଥିଲା।
ସେହି ସମୟରେ ଏହି ପ୍ଲାଟଫର୍ମ ଏକାସାଙ୍ଗରେ ୮,୦୦୦ରୁ ଅଧିକ ସକ୍ରିୟ ବ୍ୟବହାରକାରୀଙ୍କ ସଂପୃକ୍ତିକୁ ସଫଳତାର ସହ ପରିଚାଳନା କରୁଥିଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦ ପରେ ବୋର୍ଡ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଥିଲା। ପୋର୍ଟାଲ୍ ଲଗ୍ଇନ୍ ପ୍ରକ୍ରିୟାରେ ସୁରକ୍ଷା ବଢ଼ାଇବା ପାଇଁ ଏଥିରେ ଆଧାର ଯାଞ୍ଚ ବାଧ୍ୟତାମୂଳକ କରାଯାଇଥିଲା, ଯାହା ଏହି ଆକ୍ରମଣ ସମୟରେ ବେଶ୍ ସହାୟକ ହୋଇଛି। ଏହା ସହିତ ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ୱେବସାଇଟ୍ରେ ‘ସେସନ୍ ଟାଇମ୍ ଲିମିଟ୍’ ମଧ୍ୟ ବୃଦ୍ଧି କରାଯାଇଥିଲା, ଯାହା ଦ୍ୱାରା ଫର୍ମ ପୂରଣ ସମୟରେ କୌଣସି ଅସୁବିଧା ହୋଇନଥିଲା। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇର ଆଇଟି ଏବଂ ସାଇବର ସିକ୍ୟୁରିଟି ଟିମ୍ ୨୪ ଘଣ୍ଟା ଏହି ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି।
