ଭୁବନେଶ୍ୱର, ୧୭ ମାର୍ଚ୍ଚ:ରାଜ୍ୟସଭା ନିର୍ବାଚନକୁ “ଗଣତନ୍ତ୍ର ପାଇଁ କଳାଦିନ” ବୋଲି ବର୍ଣ୍ଣନା କରି ବିଜୁ ଜନତା ଦଳ (ବିଜେଡି) ଦଳ ମଧ୍ୟରେ ଘଟିଥିବା କ୍ରସ୍ ଭୋଟିଂ ଓ ଘୋଡ଼ା ବେପାର ଅଭିଯୋଗକୁ ନେଇ କଟୁ ଆକ୍ରମଣ କରିଛି। ଦଳ ଅଭିଯୋଗ କରିଛି ଯେ, କିଛି ବିଧାୟକ ଦଳୀୟ ନିର୍ଦ୍ଦେଶ ଅବହେଳା କରି ବିପକ୍ଷ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ ଦେଇଛନ୍ତି।ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତୃତ୍ୱ ଏହାକୁ “ବିଜୁ ବାବୁଙ୍କ ଆଦର୍ଶର ବିପରୀତ” ବୋଲି କହିଥିଲେ। ସେମାନଙ୍କ ମତରେ, ଦଳର କିଛି ନେତା ଅର୍ଥ ଓ କ୍ଷମତାର ଲୋଭରେ ନିଜ ଆଦର୍ଶକୁ ବିକ୍ରି କରିଦେଇଛନ୍ତି।ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ, ଯେଉଁ ନେତାମାନେ ଆଜି “ବିଜୁ ଲିଗାସୀ” ର କଥା କହୁଛନ୍ତି, ସେମାନେ ଆସଲେ ଲୋକଲଜ୍ଜାରୁ ରକ୍ଷା ପାଇବାକୁ ଏହି ଭାଷା ବ୍ୟବହାର କରୁଛନ୍ତି। ସେ ଅଭିଯୋଗ କରିଥିଲେ ଯେ, ଦଳ ଓ ନେତୃତ୍ୱରୁ ଲାଭ ଉଠାଇଥିବା କିଛି ବ୍ୟକ୍ତି ଆଜି ବିଶ୍ୱାସଘାତ କରିଛନ୍ତି।ବିଧାୟକ ବ୍ୟୋମକେଶ ରାୟ ଏହି ଘଟଣାକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ଭୋଟରେ ବିପୁଳ ଟଙ୍କାର ଲେନଦେନ ହୋଇଛି। ସେ କହିଥିଲେ, କିଛି ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ଲୋକମତକୁ ଭ୍ରମିତ କରୁଛନ୍ତି।ଅନ୍ୟପଟେ, ବିଧାୟକ ଧ୍ରୁବ ଚରଣ ସାହୁ ଦଳ ପ୍ରତି ନିଷ୍ଠା ରଖିଥିବା କିଛି ନେତାଙ୍କୁ ସ୍ତୁତି କରିଥିବାବେଳେ, ଅଭିଯୋଗ କରିଥିଲେ ଯେ ଦୀର୍ଘଦିନ ଧରି ଦଳକୁ ଭାଙ୍ଗିବା ପାଇଁ ଯୋଜନା ଚାଲିଥିଲା।ବିଜେଡି ନେତୃତ୍ୱ ଏହାକୁ କେବଳ ଏକ ନିର୍ବାଚନୀ ଘଟଣା ନୁହେଁ, ବରଂ ଦଳୀୟ ଶିଷ୍ଟାଚାର ଓ ଆଦର୍ଶର ପ୍ରଶ୍ନ ବୋଲି ଉଲ୍ଲେଖ କରିଛି। ଏହି ଘଟଣା ରାଜ୍ୟର ରାଜନୀତିରେ ନୂତନ ଚର୍ଚ୍ଚାକୁ ଜନ୍ମ ଦେଇଛି।





