ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାକୁ ଗୁରୁତ୍ୱ ସହକାରେ ନେଇ କଂଗ୍ରେସ ଦଳ ତିନିଜଣ ବିଧାୟକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି। ଦଳୀୟ ନିର୍ଦ୍ଦେଶ ଅବହେଳା କରିବା ଅଭିଯୋଗରେ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ସହ, ଆଗାମୀ ଦିନରେ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସତର୍କ କରାଯାଇଛି।କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ କହିଥିଲେ ଯେ, ଦଳ ପକ୍ଷରୁ ସମସ୍ତ ବିଧାୟକଙ୍କୁ ହୁଇପ୍ ଜାରି କରି ସାଧାରଣ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେହି ନିର୍ଦ୍ଦେଶକୁ ଅବମାନନା କରି ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗୋ ଓ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଏହାକୁ ଦଳ ଗୁରୁତର ଶୃଙ୍ଖଳାଭଙ୍ଗ ବୋଲି ମନେ କରିଛି।ଏଆଇସିସିର ସହମତି କ୍ରମେ ଏହି ତିନି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ସହ, କଟକ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ ଦଳବିରୋଧୀ କାର୍ଯ୍ୟ ପାଇଁ ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି।ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଥିଲେ, ଦଳ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଲୋକମନଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରୁଥିବାବେଳେ, ଏଭଳି କାର୍ଯ୍ୟକଳାପ ଅକ୍ଷମଣୀୟ। ସେ ଅଭିଯୋଗ କରିଥିଲେ ଯେ, କିଛି ନେତା ଲୋଭରେ ପଡ଼ି ଦଳକୁ ବିଶ୍ୱାସଘାତ କରିଛନ୍ତି।ଦଳ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ଏହି ଘଟଣାରେ ଜଡିତ ବିଧାୟକମାନଙ୍କ ବିରୋଧରେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।





