ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାରା ବିଶ୍ୱକୁ ଘାରିଛି ପ୍ରକୃତିର କୋପ ଓ ମହାସଙ୍କଟର ଚିନ୍ତା । ପ୍ରଶାନ୍ତ ମହାସାଗରୀୟ କ୍ରାନ୍ତୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଉଥିବାରୁ ବିଶ୍ୱରେ ‘ଏଲ୍ ନିନୋ’ (El Niño) ସକ୍ରିୟ ହେବାକୁ ଯାଉଛି । ଏହାର ପ୍ରଭାବରେ ସାରା ବିଶ୍ୱର ପାଣିପାଗ ଏବଂ ବୃଷ୍ଟିପାତ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେବା ସହ ଆଗାମୀ ମାସଗୁଡ଼ିକରେ ପ୍ରଳୟଙ୍କରୀ ଚରମ ପାଣିପାଗ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଏ ନେଇ ଜେନେଭାସ୍ଥିତ ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସମସ୍ତ ଦେଶକୁ ସତର୍କ କରାଯାଇଛି ।
- • ୮୦ ରୁ ୯୦ ପ୍ରତିଶତ ଆଶଙ୍କା: ଜୁନ୍ରୁ ଆରମ୍ଭ ହେବ ପ୍ରଭାବ
ଡବ୍ଲ୍ୟୁଏମଓ ର ସଦ୍ୟତମ ଆକଳନ ଅନୁଯାୟୀ, ଚଳିତ ଜୁନ୍ରୁ ଅଗଷ୍ଟ ମାସ ମଧ୍ୟରେ ‘ଏଲ୍ ନିନୋ’ ସୃଷ୍ଟି ହେବାର ପ୍ରାୟ ୮୦ ପ୍ରତିଶତ ସମ୍ଭାବନା ରହିଛି । କେବଳ ସେତିକି ନୁହେଁ, ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହା ଜାରି ରହିବାର ଆଶଙ୍କା ୯୦ ପ୍ରତିଶତ ବା ତା’ଠାରୁ ଅଧିକ ରହିଛି । ଏହି ପ୍ରକ୍ରିୟା ବେଶ୍ ଶକ୍ତିଶାଳୀ ରୂପ ଧାରଣ କରିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରୁଛନ୍ତି । ତେଣୁ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଏବେଠାରୁ ହିଁ ପ୍ରସ୍ତୁତି ଏବଂ ଯୋଜନା କରିବାର ଜରୁରୀ ସମୟ ଆସିଯାଇଛି ।
• ଦକ୍ଷିଣ ଏସିଆ ଓ ଭାରତରେ କମ୍ ମୌସୁମୀ ବର୍ଷା ଆଶଙ୍କା
ବିଶ୍ୱ ପାଣିପାଗ ସଂଗଠନର ରିପୋର୍ଟ ଅନୁସାରେ, ‘ଏଲ୍ ନିନୋ’ ଯୋଗୁଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବୃଷ୍ଟିପାତର ଶୈଳୀ ବଦଳିଯିବ । ଏହାର ପ୍ରଭାବରେ ଦକ୍ଷିଣ ଏସିଆ ସମେତ ଭାରତରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକଠାରୁ ବହୁତ କମ୍ ହେବ ବୋଲି ସାଉଥ୍ ଏସିଆନ୍ କ୍ଲାଇମେଟ୍ ଆଉଟ୍ଲୁକ୍ ଫୋରମ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି । ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହା କୃଷି, ସ୍ବାସ୍ଥ୍ୟ ଓ ଜଳ ପରିଚାଳନା କ୍ଷେତ୍ରକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେବାର ସମ୍ଭାବନା ରହିଛି । “ଏଲ୍ ନିନୋ ଆମ ଦୁଆରମୁହଁରେ ପହଞ୍ଚି ସାରିଛି। ବିଶ୍ୱବାସୀ ଏହାକୁ ଜରୁରୀକାଳୀନ ଜଳବାୟୁ ଚେତାବନୀ ଭାବେ ଗ୍ରହଣ କରିବା ଉଚିତ। ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ କରିବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ହିଁ ଏକମାତ୍ର ପ୍ରତିକାର।” — ଆଣ୍ଟୋନିଓ ଗୁଟେରସ, ଜାତିସଂଘ ମହାସଚିବ
• ବିଶ୍ୱ ପାଇଁ ମୁଖ୍ୟ ବିପଦ ଏବଂ ପ୍ରଭାବ:
➡️ଜୁନ୍ରୁ ଅଗଷ୍ଟ ମଧ୍ୟରେ ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହିବ ।
➡️କେତେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ମରୁଡ଼ି ଦେଖାଦେବା ବେଳେ, ଅନ୍ୟ କେତେକ ଅଞ୍ଚଳରେ ପ୍ରବଳ ବନ୍ୟା ଓ ବର୍ଷା ବିପର୍ଯ୍ୟୟ ସୃଷ୍ଟି ହେବ ।
➡️ ସମୁଦ୍ର ମଧ୍ୟରେ ତାପମାତ୍ରା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଥିବାରୁ ସାମୁଦ୍ରିକ ପରିବେଶ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ ।
ସୂଚନାଯୋଗ୍ୟ ଯେ, ଗତ ୨୦୨୩-୨୪ ବର୍ଷର ‘ଏଲ୍ ନିନୋ’ ଇତିହାସର ସବୁଠାରୁ ଶକ୍ତିଶାଳୀ ପାଞ୍ଚଟି ପ୍ରଭାବ ମଧ୍ୟରୁ ଅନ୍ୟତମ ଥିଲା, ଯାହା ଯୋଗୁଁ ୨୦୨୪ ମସିହାରେ ସାରା ବିଶ୍ୱରେ ତାପମାତ୍ରା ସମସ୍ତ ରେକର୍ଡ ଭାଙ୍ଗିଥିଲା । ଚଳିତ ବର୍ଷ ମଧ୍ୟ ପରିସ୍ଥିତି ସଦୃଶ ହେବାକୁ ଯାଉଥିବାରୁ ସରକାର ଓ ମାନବୀୟ ସହାୟତା ସଂଗଠନଗୁଡ଼ିକୁ ସତର୍କ ରହିବାକୁ ଡବ୍ଲ୍ୟୁଏମଓ ମହାନିର୍ଦ୍ଦେଶକ ସେଲେଷ୍ଟେ ସାଉଲୋ ପରାମର୍ଶ ଦେଇଛନ୍ତି ।
