ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ TPCODL ଲାଇନମ୍ୟାନ୍ । ତାଙ୍କ ନାଁ ଧର୍ମ ନିରଞ୍ଜନ ଚୌଧୁରୀ। ସେ କଟକ TPCODL ଅଧୀନରେ ଥିବା ନରସିଂହପୁର ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟ କରନ୍ତି। ତେବେ ଚାଷୀଙ୍କ ଚାଷ ଜମି ଦେଇ ୧୧ କେଭିର ବିଦ୍ୟୁତ୍ ତାର ଯାଇଛି। ଏହି ତାର ନେବା ପାଇଁ ତାଙ୍କ ଚାଷ ଜମିରେ ଏକ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଛି। ଉକ୍ତ ବିଦ୍ୟୁତ୍ ଖୁଣ୍ଟଟି ନଷ୍ଟ ହୋଇଗଲାଣି। ତେଣୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା କରି ବିଦ୍ୟୁତ୍ ଖୁଣ୍ଟଟିକୁ ବଦଳାଇ ପାଇଁ ଚାଷୀ ଜଣଙ୍କ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ଅନୁରୋଧ କରିଥିଲେ।

ତେବେ ତାଙ୍କର ଏହି ଆବେଦନ ପରେ ଉକ୍ତ ବିଦ୍ୟୁତ୍ ଖୁଣ୍ଟକୁ ବଦଳାଇବା ପାଇଁ ନରସିଂହପୁର ବିଦ୍ୟୁତ୍ ସେକ୍ସନର ‘ଲାଇନ ମ୍ୟାନ-ଏ’ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ବିଦ୍ୟୁତ୍ ଖୁଣ୍ଟଟିକୁ ବଦଳାଇବାକୁ ସେ ଉକ୍ତ ଚାଷୀଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୪ ଦିନ ତଳେ ଅର୍ଥାତ୍ ଜୁନ୍ ୨ ତାରିଖରେ ଶ୍ରୀ ଚୌଧୁରୀ ଉକ୍ତ ବିଦ୍ୟୁତ୍‌ ଖୁଣ୍ଟକୁ ସେଠାରୁ ହଟାଇ ଦେଇଥିଲେ ଓ ତା’ ସ୍ଥାନରେ ଏକ ନୂଆ ବିଦ୍ୟୁତ୍ ଖୁଣ୍ଟ ପୋତି ଥିଲେ। ଆଉ ତା’ପରେ ସେ ଉକ୍ତ ଚାଷୀଙ୍କଠାରୁ ୮ ହଜାର ଟଙ୍କା ନେଇଥିଲେ। ଅନ୍‌ଲାଇନ ଯୋଗେ ସେ ଏହି ଟଙ୍କା ନେଇଥିଲେ। କିନ୍ତୁ ଆଉ ୧୭ ହଜାର ଟଙ୍କା ନଦେବାରୁ ସେ ନଷ୍ଟ ହୋଇଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ଚାଷୀଙ୍କ ଜମିରେ ଛାଡ଼ି ଚାଲିଯାଇଥିଲେ।୧୭ ହଜାର ଟଙ୍କା ଦେବାକୁ ଚାଷୀ ଜଣଙ୍କ ଅସମର୍ଥ ବୋଲି ତାଙ୍କୁ କହିଥିଲେ। ଏହା ପରେ ଶ୍ରୀ ଚୌଧୁରୀ ୧୫ ହଜାର ଟଙ୍କା ଦେବାକୁ ତାଙ୍କୁ କହିଥିଲେ।

ଫଳରେ ଚାଷୀ ଜଣଙ୍କ ରାଗି ଯାଇଥିଲେ ଓ ଘଟଣା ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ପ୍ରକାରେ ଚାଷୀ ଜଣଙ୍କ ଆଜି ଶ୍ରୀ ଚୌଧୁରୀଙ୍କୁ ୧୫ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।ଏହି ଘଟଣାକୁ ନେଇ କଟକ ଭିଜିଲାନ୍ସ ଥାନାରେରେ ମାମଲା ରୁଜୁ କରାଯାଇଛି।