ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ବିଜୁ ଜନତା ଦଳର ୬ ଜଣ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ୬ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି।ଦଳ ପକ୍ଷରୁ ଜାରି ହୋଇଥିବା ସୂଚନାନୁସାରେ, ରାଜ୍ୟସଭା ନିର୍ବାଚନ ସମୟରେ ପାର୍ଟି ହ୍ୱିପ୍ ଉଲ୍ଲଂଘନ କରି କ୍ରସ୍ ଭୋଟିଂ କରାଯାଇଥିବାରୁ ଏହି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।ଏନେଇ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, “ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ୬ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଆଗାମୀ ଦିନରେ ଏହି ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଲେଖି ଜଣାଯିବ ଏବଂ ଆଇନ ଅନୁସାରେ ତାଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜୁ ଜନତା ଦଳ ଅପିଲ କରିବ।”ରାଜନୈତିକ ମହଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। କ୍ରସ୍ ଭୋଟିଂ ଘଟଣା ବିଜେଡି ଭିତରେ ଶିସ୍ତ ନେଇ ପ୍ରଶ୍ନ ଉଠାଇଥିବା ବେଳେ, ଦଳର କଡ଼ା ପଦକ୍ଷେପ ଆଗାମୀ ଦିନରେ ରାଜନୈତିକ ପରିଣାମ କେମିତି ହେବ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି।





