ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୩୭୯୩.୩୩କୋଟି ଟଙ୍କାର ୨୪ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ । ମିଳିବ ୨୦ହଜାର ନିଯୁକ୍ତି । ରାଜ୍ୟର ଆଂଚଳିକ ସନ୍ତୁଳିତ ବିକାଶକୁ ଆଖିରେ ରଖି ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଓ ମୟୂରଭଞ୍ଜ ପରି ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି।ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି।
ଢ଼େଙ୍କାନାଳଠାରେ ସିଇଏସସି ଗ୍ରୀନ ପାୱାର ଲିମିଟେଡ୍ ପକ୍ଷରୁ ୬୮୩.୮୩ କୋଟି ଟଙ୍କା ବ୍ୟୟରେ ଏକ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ପ୍ରକଳ୍ପ ପ୍ରତିଷ୍ଠା ହେବ, ଯାହା ୧୫୩ ଜଣଙ୍କୁ ରୋଜଗାର ସୁଯୋଗ ଦେବ । ସେହିପରି ଏଭିପି ଷ୍ଟାର୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଖୋର୍ଦ୍ଧାଠାରେ ୫୦୦କୋଟି ଟଙ୍କା ନିବେଶରେ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ ଉତ୍ପାଦନ କେନ୍ଦ୍ର ସ୍ଥାପନ ହେବ ଓ ୫୦୦ ଜଣଙ୍କୁ ନିଯୁକ୍ତି ଦେବ। ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାଠାରେ ୧୬୮.୬୪ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ କରିବ, ଯାହା ୧୦୩୦୬ଜଣଙ୍କୁ କର୍ମନିଯୁକ୍ତି ଦେବ ବୋଲି ଜଣାପଡ଼ିଛି ।
ସେହିପରି ଶାହୀ ଏକ୍ସପୋର୍ଟସ୍ ସମ୍ବଲପୁରରେ ୧୪୫.୫୦ କୋଟି ଟଙ୍କା ବ୍ୟୟରେ ଗାର୍ମେଣ୍ଟସ ୟୁନିଟ୍ ସ୍ଥାପନ କରିବ ଓ ୧୮୪୦ ନିଯୁକ୍ତି ସୁଯୋଗ ଦେବ। ମା’ ତାରାତାରିଣୀ ଟେକ୍ସଟାଇଲ୍ ପାର୍କ ଗଞ୍ଜାମରେ ୭୦ କୋଟି ଟଙ୍କାର ଏକ ସମନ୍ୱିତ ବସ୍ତ୍ର ପ୍ରକଳ୍ପ ପ୍ରତିଷ୍ଠା କରିବ।ସେହିପରି ସ୍ୱସ୍ତି ପ୍ରିମିୟମ ଲିମିଟେଡ୍ ୨୫୦କୋଟି ଟଙ୍କା ବ୍ୟୟରେ କୋରାପୁଟଠାରେ ପଂଚତାରକା ରିସୋର୍ଟ ଓ ଏସଏନଏମ୍ ହୋଟେଲ ୧୩୩.୩୪କୋଟି ଟଙ୍କା ବ୍ୟୟରେ ଅନ୍ୟ ଏକ ରିସୋର୍ଟ ସ୍ଥାପନ କରିବ। କେନ୍ଦୁଝରରେ ଇକୋ ରିସୋର୍ଟସ୍ ପକ୍ଷରୁ ୧୦୫.୬୦କୋଟି ଟଙ୍କା ବ୍ୟୟରେ ୱାଟର ଆମ୍ୟୁଜମେଂଟ ପାର୍କ, ପୁରୀରେ ୯୨.୮୦କୋଟି ଟଙ୍କା ବ୍ୟୟରେ ଶୈଳବାଳା ଇନଫ୍ରାଷ୍ଟକର ଓ ଜଗତସିଂହପୁରରେ ୭୦କୋଟି ଟଙ୍କା ବ୍ୟୟରେ ସୂର୍ଯ୍ୟ ଉଦ୍ୟୋଗ କମ୍ପାନୀ ୪ଷ୍ଟାର ହୋଟେଲ ସ୍ଥାପନ କରିବ ।
ମୟୂରଭଞ୍ଜରେ ପ୍ରାଚୀ ଏଣ୍ଟରପ୍ରାଇଜେସ୍ ୫୨କୋଟି ଟଙ୍କାରେ ଇକୋ ରିସୋର୍ଟ, ଓ ସୁନ୍ଦରଗଡ଼ରେ ଲହର୍ସ ଏକ୍ସପୋର୍ଟସ ୬୦କେଟି ଟଙ୍କା ବ୍ୟୟରେ ହୋଟେଲ ପ୍ରକଳ୍ପ ନିର୍ମାଣ କରିବ।ଏସବୁ ବ୍ୟତୀତ ଜେଏସଡବ୍ଲ୍ୟୁ ସେଭରଫିଲ୍ଡସ ଷ୍ଟ୍ରକଚର୍ସ ଲିମିଟେଡ୍ ଯାଜପୁରଠାରେ ୨୧୫ କୋଟି ଟଙ୍କା ନିବେଶରେ ଏକ ଷ୍ଟିଲ୍ ଫାବ୍ରିକେସନ ୟୁନିଟ୍ ପ୍ରତିଷ୍ଠା କରି ୧୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ । କୋଶଳ ସେରାମିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାଠାରେ ୨୭୫.୦୭ କୋଟି ଟଙ୍କା ବ୍ୟୟରେ ଏହାର ରିଫ୍ରାକ୍ଟୋରି ଇଟା ଉତ୍ପାଦନ କେନ୍ଦ୍ରର ସମ୍ପ୍ରସାରଣ କରି ଏକହଜାର ନୂଆ ନିଯୁକ୍ତି ଓ ସୁନ୍ଦରଗଡ଼ରେ ଏନଭାଇରୋକେୟାର ଇନଫ୍ରାସଲ୍ୟୁସନ ୮୧ କୋଟି ଟଙ୍କା ଏବଂ ଖୋର୍ଦ୍ଧାରେ ବିଷ୍ଣୁ ଷ୍ଟିଲ୍ ୫୧.୮୩ କୋଟି ଟଙ୍କା ବ୍ୟୟରେ ନିଜର ଶିଳ୍ପ ସ୍ଥାପନ କରିବାକୁ ସିଙ୍ଗଲୱିଣ୍ଡୋ ବୈଠକରେ ମଞ୍ଜୁରୀ ପାଇଛନ୍ତି ।
