ଭୁବନେଶ୍ୱର: ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟିରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ବନ ଦିବସ ଅବସରରେ କହିଛନ୍ତି। ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେ କହିଥିଲେ, ଜଙ୍ଗଲ ଆମ ଜୀବନ ଓ ଜୀବିକାର ମୂଳ ଆଧାର ଓ ଏହାର ସୁରକ୍ଷା ପାଇଁ ସମସ୍ତଙ୍କ ସଚେତନତା ଆବଶ୍ୟକ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍ତମ ବନ ପରିଚାଳନା, ବ୍ୟାପକ ବୃକ୍ଷରୋପଣ ଓ ଜନସଚେତନତା ଫଳରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣ ବୃଦ୍ଧି ଘଟିଛି। ବର୍ତ୍ତମାନ ରାଜ୍ୟର ୩୭.୬୩ ପ୍ରତିଶତ ଭୂମି, ଅର୍ଥାତ ୫୮,୫୯୭ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲ ଓ ବୃକ୍ଷ ଆବରଣରେ ଆବୃତ। ଏକ ଦିନରେ ୧.୪୯ କୋଟି ଓ ଏକ ବର୍ଷରେ ୮ କୋଟିରୁ ଅଧିକ ଚାରାରୋପଣ କରାଯାଇଥିବାକୁ ସେ ଉଲ୍ଲେଖ କରିଥିଲେ।ସେ ଆହୁରି କହିଥିଲେ ଯେ, ଜଙ୍ଗଲକୁ କେବଳ ପରିବେଶ ସୁରକ୍ଷା ନୁହେଁ, ଜୀବିକା ଅର୍ଜନର ମୁଖ୍ୟ ମାଧ୍ୟମ ଭାବେ ପରିଣତ କରିବାରେ ସରକାର ଗୁରୁତ୍ୱ ଦେଇଛି। ଜଙ୍ଗଲ ନିଆଁ ଓ ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ ରୋକିବାକୁ ସଚେତନ ହେବା ସହ ମନୁଷ୍ୟକୃତ ବନ୍ୟପୋଡ଼ି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଜଙ୍ଗଲ ଅଞ୍ଚଳର ଲୋକଙ୍କ ଜୀବିକା ବୃଦ୍ଧି ପାଇଁ ସରକାରୀ ପଦକ୍ଷେପ ବିଷୟରେ କହିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜଙ୍ଗଲକୁ ଅର୍ଥନୀତିର ମୁଖ୍ୟ ଅଂଶ କରିବା ଓ ଭବିଷ୍ୟତରେ ନିଯୁକ୍ତି ସୃଷ୍ଟିରେ ଏହାର ଭୂମିକା ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚନ ଓ ଉତ୍ତମ କାର୍ଯ୍ୟ ପାଇଁ ବନ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା।





