“ଏଫଏମ୍‌ୟୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟରେ:ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ”

ବାଲେଶ୍ୱର:ଉତ୍ତର ଓଡ଼ିଶାର ପ୍ରମୁଖ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଫକିର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଏବେ ଗଭୀର ସଙ୍କଟରେ ପଡ଼ିଛି। ଦୀର୍ଘଦିନ ଧରି ଅଧ୍ୟାପକ ପଦବୀ ଖାଲି ରହିବାରୁ ପାଠପଢ଼ା ଓ ଗବେଷଣା କାର୍ଯ୍ୟ ପ୍ରଭାବିତ ହେଉଛି।ଏହି ବିଶ୍ୱବିଦ୍ୟାଳୟ ୧୯୯୯ ମସିହାରେ ସ୍ଥାପିତ ହୋଇଥିଲା। ଜିଲ୍ଲାବାସୀଙ୍କ ଦୀର୍ଘ ଆନ୍ଦୋଳନ ଓ ସଂଘର୍ଷର ଫଳସ୍ୱରୂପ ଗଠିତ ଏହି ପ୍ରତିଷ୍ଠାନ ଆଜି ଉଚ୍ଚଶିକ୍ଷାର ମୁଖ୍ୟ କେନ୍ଦ୍ର ହେଲେମଧ୍ୟ ମୌଳିକ ସମସ୍ୟାରେ ଜର୍ଜର ଅବସ୍ଥାରେ ଅଛି।ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଅନେକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ତଥ୍ୟ ଅନୁସାରେ, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପଦବୀର ମହତ୍ତ୍ୱପୂର୍ଣ୍ଣ ସଂଖ୍ୟା ପୂରଣ ହୋଇନାହିଁ। ଆସୋସିଏଟ୍ ପ୍ରଫେସରର ୩୮ଟି ପଦବୀ ମଧ୍ୟରୁ କେବଳ ୧୯ଟି ପୂରଣ ହୋଇଥିବାବେଳେ, ଅବଶିଷ୍ଟ ୧୯ଟି ପଦ ଖାଲି ଅଛି। ସେହିପରି, ପ୍ରଫେସର ପଦବୀରେ ମଧ୍ୟ ଗୁରୁତର ଅଭାବ ଦେଖାଯାଉଛି।ଏହା ସହିତ ନନ୍-ଟିଚିଂ ଷ୍ଟାଫ୍‌ରେ ମଧ୍ୟ ଅଭାବ ରହିଛି। ୧୭୯ଟି ପଦବୀ ମଧ୍ୟରୁ କେବଳ ୬୮ଟି ପୂରଣ ହୋଇଥିବାବେଳେ ଅନ୍ୟାନ୍ୟ ପଦବୀ ଦୀର୍ଘଦିନ ଧରି ଖାଲି ରହିଛି। ଏହାର ପ୍ରଭାବରେ ପ୍ରଶାସନିକ କାମ ଓ ଶିକ୍ଷା ପରିଚାଳନା ଦୁହିଁ ଅସୁବିଧାରେ ପଡ଼ିଛି।ଏହି ସମସ୍ୟା ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉତ୍ତର ପରେ ସ୍ପଷ୍ଟ ହୋଇଛି ଯେ, ଏଫଏମ୍‌ୟୁରେ ବହୁ ପଦବୀ ଖାଲି ରହିଛି।ଏନେଇ ବିଶ୍ୱବିଦ୍ୟାଳୟର ଭାଇସ୍‌-ଚାନ୍ସେଲର ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ଯେ, ଖାଲି ପଦବୀ ପୂରଣ ପାଇଁ ରୋଷ୍ଟର ପ୍ରସ୍ତୁତ କରି ସରକାରଙ୍କୁ ପଠାଯାଇଛି। ସରକାରୀ ଅନୁମୋଦନ ମିଳିଲେ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।ତେବେ, ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ନେଇ ଚିନ୍ତା ବଢ଼ିବା ସ୍ୱାଭାବିକ।

Related Posts