“ବାପାଙ୍କ ଅପମାନ ସହିବି ନାହିଁ” – ନବୀନଙ୍କୁ ସିଧା ନିଶାନା କଲେ ସୌଭିକ୍
କଟକ/ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ସମୟରେ ହୋଇଥିବା କ୍ରସ୍ ଭୋଟିଂ ନେଇ ବିବାଦ ମଧ୍ୟରେ ବିଜେଡି ନେତୃତ୍ୱକୁ ସିଧା ନିଶାନା କରିଛନ୍ତି ସୌଭିକ୍ ବିଶ୍ୱାଳ। ସେ କହିଛନ୍ତି, ଯେଉଁଦିନ ସେମାନେ ରାଜ୍ୟସଭାରେ ଭୋଟ ଦେଇଥିଲେ ସେହିଦିନ ମିଡିଆ ପକ୍ଷରୁ କ୍ରସ୍ ଭୋଟିଂ ବିଷୟରେ ପ୍ରଶ୍ନ ଉଠିଥିଲା। ଯେଉଁଦିନ ତାଙ୍କ ବାପାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା, ସେହିଦିନ ନିଜେ ମଧ୍ୟ ଦଳରୁ ବହିଷ୍କୃତ ହୋଇଗଲେ ବୋଲି ସେ ଭାବିଥିଲେ।ସୌଭିକ୍ କହିଛନ୍ତି, ସେ କେବେ ମଧ୍ୟ ଦଳ ବିପକ୍ଷରେ ଯାଇନଥିଲେ। ବରଂ ପ୍ରଭାତ ବିଶ୍ୱାଳଙ୍କ ଅନୁରୋଧ ଅନୁସାରେ ସେ ସନ୍ତୃପ୍ତ ମିଶ୍ର ରାଜ୍ୟସଭା ପ୍ରାର୍ଥୀ ନ ହୁଅନ୍ତୁ ବୋଲି କହିଥିଲେ। ଏହା ସମ୍ବନ୍ଧରେ କେବଳ କଥା ନୁହେଁ, ପ୍ରମାଣ ଓ ତଥ୍ୟ ମଧ୍ୟ ଥିବା କଥା ସେ ଦାବି କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀର ଜଣେ ଓକିଲଙ୍କ ଠାରୁ କିଛି ତଥ୍ୟ ପ୍ରଭାତ ବିଶ୍ୱାଳ ପାଇଥିଲେ ଓ ପରେ ‘ବିଜୁ-ନବୀନ ଇନସ୍ପିରେସନାଲ ଟ୍ରଷ୍ଟ’ ଗଠନ ହୋଇଥିବା ଖବର ସତ୍ୟ ପ୍ରମାଣିତ ହେଲା।ସେ ଆହୁରି କହିଛନ୍ତି, ଏହି ପ୍ରଶ୍ନ କେବଳ ପ୍ରଭାତ ବିଶ୍ୱାଳଙ୍କର ନୁହେଁ, ବରଂ ପ୍ରତ୍ୟେକ ବିଜୁ ପ୍ରେମୀଙ୍କ ମନରେ ଥିବା ପ୍ରଶ୍ନ। ଆନନ୍ଦ ଭବନର ସାଧାରଣ ଭାବେ ଖୋଲାଯିବା ପରେ ଗଣମାଧ୍ୟମରେ ପ୍ରସାର ହେଇଥିଲା।ତେବେ ଏହି ଫାଉଣ୍ଡେସନ ସମ୍ପର୍କରେ ସାଧାରଣ ଲୋକଙ୍କୁ କାହିଁକି ଜଣାଯାଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।ନିଜ ବିଶ୍ୱାସ ଓ ନୀତି ସମ୍ପର୍କରେ କହି ସୌଭିକ୍ କହିଛନ୍ତି, ଛୋଟବେଳୁ ମା’ଙ୍କ ଠାରୁ ସେ ଶିଖିଥିବା ମୂଲ୍ୟବୋଧକୁ କେବେ ଭଙ୍ଗିବେ ନାହିଁ। ସେ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କହିଥିଲେ ଯେ ସେ କେବେ ବି ବିଜେଡିକୁ ଭୋଟ ଦେବେ ନାହିଁ।ସଭ୍ୟପଦ ରଦ୍ଦ ସମ୍ଭାବନାକୁ ନେଇ ସେ କହିଛନ୍ତି, “ମୋ ପୂଜ୍ୟ ପିତାଙ୍କ ପାଇଁ ଯଦି ମୋତେ ସସ୍ପେଣ୍ଡ କରାଯାଏ କିମ୍ବା ମୃତ୍ୟୁ ସମ୍ମୁଖୀନ ହେବାକୁ ପଡ଼େ, ତଥାପି ମୁଁ ଭାବିବି ଯେ ମୋର ମୋକ୍ଷ ହେବ।”ସେ ତାଙ୍କ ବାପାଙ୍କ ରାଜନୈତିକ ଯାତ୍ରାକୁ ଉଲ୍ଲେଖ କରି କହିଛନ୍ତି ଯେ ୨୦୦୦ ମସିହାରେ ଟିକେଟ ନ ପାଇ ସ୍ଵାଧୀନ ଭାବେ ଲଢ଼ିଥିଲେ ଏବଂ ୨୦୦୪ ମସିହାରେ ପ୍ରାୟ ୪୮ ହଜାର ଭୋଟରେ ବିଜୟୀ ହୋଇଥିଲେ। କଟକର ଲୋକମାନେ ତାଙ୍କୁ ଛଅଥର ଭୋଟ ଦେଇଥିବା କଥା ସେ ସ୍ମରଣ କରାଇଛନ୍ତି।ପରିବାର ପକ୍ଷରୁ ଆସୁଥିବା ଅଭିଯୋଗକୁ ନେଇ ସେ କହିଛନ୍ତି, କାହାକୁ ମାନସିକ ଅସ୍ଥିରତା କିମ୍ବା ଅନ୍ୟାନ୍ୟ ଅଭିଯୋଗ ଲଗାଇବା ଠିକ୍ ନୁହେଁ। ପ୍ରଭାତ ବିଶ୍ୱାଳଙ୍କୁ ନେଇ ଆସୁଥିବା ‘ଘୋଡ଼ା ବେପାର’ ଅଭିଯୋଗକୁ ସେ ଖଣ୍ଡନ କରି କହିଛନ୍ତି ଯେ ଘୋଡ଼ା ବେପାର ଗୋଟେପଟେ ପ୍ରଭାତ ବିଶ୍ୱାଳ ଗୋଟେପଟେ ସମାଜସେବା କରିବା ପାଇଁ ସେ ସଦା ଆଗୁଆ ରହିଛନ୍ତି।ସୌଭିକ୍ ଆହୁରି କହିଛନ୍ତି, ବାପାଙ୍କୁ ବହିଷ୍କାର କରାଯିବାର ପାଞ୍ଚ ଦିନ ପରେ ତାଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା। ସେ ଭାବିଥିଲେ ବାପାଙ୍କ ବିଷୟରେ ଆଲୋଚନା ହେବ, କିନ୍ତୁ ସେଠାରେ ତାଙ୍କୁ ନିର୍ମାଲ୍ୟ ଛୁଆଇ ସନ୍ତୃପ୍ତ ମିଶ୍ରଙ୍କୁ ଭୋଟ ଦେବାକୁ କୁହାଯାଇଥିଲା। ଏଥିରେ ସେ ସିଧାସଳଖ ମନା କରିଥିବା କଥା ମଧ୍ୟ କହିଛନ୍ତି।ଶେଷରେ ସେ କହିଛନ୍ତି, ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସେ କେବେ ସହି ପାରିବେ ନାହିଁ। “ମୋତେ ପବିତ୍ରଗୃହ ବିଧାନସଭାକୁ ଯିବାର ସୁଯୋଗ ବାପାଙ୍କ ପାଇଁ ମିଳିଛି। ମୁଁ କେବେ ନିଜକୁ ବିଧାୟକ ଭାବିନି ସବୁବେଳେ ମୋ ବାପାଙ୍କୁ ମୁଁ ବିଧାୟକ ଭାବିଛି।ଯଦି ମୋତେ ନିଲମ୍ବନ ନକରି, ବହିଷ୍କାର କରିଥାନ୍ତେ ମୁଁ ଅଧିକ ଖୁସି ହେଇଥାନ୍ତି,” ବୋଲି ସେ କହିଛନ୍ତି।





