ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଅଡୁଆରେ ଦୟାଲ ଗଙ୍ଗୱାର। ତେବେ ଘରୋଇ କାମରେ ନିୟୋଜିତ କରିବା ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଳବାଇ ଓ ତଟସୁରକ୍ଷା ଏଡିଜିଙ୍କୁ ଚିଠି ଲେଖାଯାଇଛି। ଯେଉଁ ଅଭିଯୋଗ ଆସିଛି ସେହି ଆଧାରରେ ତଦନ୍ତ କରି ଏଚ୍ଆର୍ପିସିର ଅତିରିକ୍ତ ଡିଜିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ଚିଠିରେ ଦର୍ଶାଯାଇଛି। କଟକ ଜିଲ୍ଲା ଅଡ଼ଶପୁରର ସୌମ୍ୟରଞ୍ଜନ ସ୍ବାଇଁ ୨୦୧୩ରେ କନେଷ୍ଟବଳ ଚାକିରି ପାଇଥିଲେ।
୨୦୨୩ ପରଠାରୁ ସେ ଶ୍ରୀ ଗଙ୍ଗୱାରଙ୍କ ନିକଟରେ କାର୍ଯ୍ୟ କରି ଆସୁଥିଲେ। ଶ୍ରୀ ଗଙ୍ଗୱାର ଏଡିଜି କମ୍ୟୁନିକେସନ୍ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବି ସୌମ୍ୟ ତାଙ୍କ ନିକଟରେ କାର୍ଯ୍ୟ କରୁଥିଲେ। ଶ୍ରୀ ଗଙ୍ଗୱାରଙ୍କ ଭୁବନେଶ୍ବରରେ ଥିବା ଜିମ୍ରେ ସୌମ୍ୟ କାମ କରୁଥିବା ବେଳେ ତାଙ୍କୁ ଶ୍ରୀ ଗଙ୍ଗୱାର ନିର୍ଯାତନା ଦେଉଥିବା ତାଙ୍କ ମା’ ଅଭିଯୋଗ ଆଣିଥିଲେ। ଏହି ହତ୍ୟାକାଣ୍ଡ ସହିତ ବ୍ୟକ୍ତିଗତ କାମରେ ବ୍ୟବହାର ଘଟଣାକୁ ନେଇ ମାନବାଧିକାର କର୍ମୀ ଭଜମନ ବିଶ୍ବାଳ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଫେରାଦ ହୋଇଥିଲେ। କମିସନ୍ ଏହି ମାମଲାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
