କୋଲକାତା : ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ। ପଶ୍ଚିମବଙ୍ଗର ପୂର୍ବତନ ସରକାର ରଖିଥିବା ଏହି ‘ଧାମ’ ଶବ୍ଦକୁ ହଟାଇବାକୁ ବର୍ତ୍ତମାନର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ଏହି ଘୋଷଣା ପରେ ଏହି ନିଷ୍ପତ୍ତି ପରେ କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଉଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜଗନ୍ନାଥ ଭକ୍ତମାନେ ଓ ସାଂସ୍କୃତିକ ସଂଗଠନ ସ୍ୱାଗତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ ତୁରନ୍ତ ହଟାଇ ଦିଆଯିବ। ଏହାର ନାମ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ହେବ। ପୁରୀ ଶ୍ରୀମନ୍ଦିର ନୀତି ଅନୁସାରେ ଦୀଘା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠିରେ ଦେଇଥିବା ପ୍ରସ୍ତାବ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପଶ୍ଚିମବଙ୍ଗ ସମକକ୍ଷ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ଚିଠି ଲେଖିଥିଲେ। ‌ସେ ଦୀଘା ଜଗନ୍ନାଥ ମନ୍ଦିରୁ ‘ଧାମ’ ଶବ୍ଦ ହଟାଇ ପାଇଁ ଅନୁରୋଧ କରିଥିଲେ। ଜଗନ୍ନାଥ ଧାମ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ସହିତ ଜଡ଼ିତ ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଥିଲେ।