ଭୁବନେଶ୍ୱର : ମୌସୁମୀ ବାୟୁ କେରଳ ଛୁଇଁବା ପରେ ଧୀରେ ଧାୀରେ ସକ୍ରିୟ ହେବାରେ ଲାଗିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ଏଥର ବର୍ଷାରେ ଭିଜିବ ରଜ ପର୍ବ। ଆଉ ମାତ୍ର ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ମୌସୁମୀ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ତେବେ ମୌସୁମୀ ଆସିବା ପୂର୍ବରୁ ରାଜ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷାର ପ୍ରଭାବ ବଢ଼ିବାକୁ ଯାଉଛି। ପାଣିପାଗ ବିଭାଗ ୧୪ ଜୁନ୍ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ପାଇଁ ସତର୍କତା ଜାରି କରିଛି। ବିଶେଷକରି ୧୦ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ପବନର ସମ୍ଭାବନା ରହିଛି। ବୁଧବାର ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।