ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସିର ସୁସ୍ମିତା ଦେବ । ଏକଦା ମମତାଙ୍କ ଘନିଷ୍ଠ କୁହାଯାଉଥିବା ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ଚାଲିଥିବା ଅସନ୍ତୋଷ ମଧ୍ୟରେ ସେ ପଦ ଛାଡିଛନ୍ତି । ତାଙ୍କ ଇସ୍ତଫା ପାର୍ଟି ପାଇଁ ବଡ ରାଜନୈତିକ ଝଟକା ବୋଲି କୁହାଯାଉଛି । ତେବେ କେଉଁ କାରଣରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ ।ଦୀର୍ଘଦିନ ଧରି ଟିଏମସିର ପ୍ରମୁଖ ଚେହେରା ଭାବେ ସୁସ୍ମିତା ଆଗରେ ରହିଥିଲେ ।

ଜାତୀୟ ସ୍ତରରେ ସେ ଦଳର ଅନେକ ଭୂମିକା ସମ୍ପାଦନ କରିଛନ୍ତି । ସେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ସଙ୍କଟ ବଢିବାରେ ଲାଗିଛି । ଫଳାଫଳର ମାସକ ମଧ୍ୟରେ ଦଳ ଭାଙ୍ଗିବାଆରମ୍ଭକଲାଣି ।୨୦ରୁ ଅଧିକ ସାଂସଦ ଦଳ ଛାଡିବା ପାଇଁ ବସିଛନ୍ତି । ସେମାନେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିବାକୁ କହିସାରିଛନ୍ତି । ଏପରିକି ଟିଏମସିର ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି । କିଛି ଦିନ ତଳେ ମମତାଙ୍କ ବିଶ୍ୱସ୍ତ କାକୋଳି ଘୋଷ ଏବଂ ସୁଖେନ୍ଦୁ ଶେଖର ଦୂରେଇ ଯାଇଥିଲେ ।