ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଏକାଠି ହେବେ NDA ନେତା । ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରିବେ ଶକ୍ତି ପ୍ରଦର୍ଶନ ।ତେବେ ବୈଠକରେ ମୋଦୀଙ୍କ ବଡ ଉପଲବ୍ଧିକୁ ସ୍ୱାଗତ କରାଯାଇ ଏକ ପ୍ରସ୍ତାବ ପାରିତ କରାଯିବ । କାରଣ ମୋଦୀ ୪୩୯୯ ଦିନ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି । ଯାହା ଜବାହାରଲାଲ ନେହେରୁଙ୍କ ରେକର୍ଡକୁ ଭାଙ୍ଗି ଦେଇଛି । ତେବେ ଇନ୍ଦିରା ଗାନ୍ଧୀ ୧୪ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିଲେ । ହେଲେ ସେ ଲଗାତାର ଭାବେ ଏତେ ଦିନ ପ୍ରଧାନମନ୍ତ୍ରୀ ରହି ନଥିଲେ । ମୋଦୀ ୨୦୧୪ ମସିହା ଜୁନ ୨୬ ତାରିଖରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ରେ ପୁନର୍ବାର ସେ ନିର୍ବାଚିତ ହୋଇଥିଲେ । ୨୦୨୪ରେ ସେ ତୃତୀୟ ଥର ପାଇଁ ପିଏମ୍ ଆସନରେ ବସିଥିଲେ ।ରିପୋର୍ଟ ଅନୁସାରେ, ଭାରତ ମଣ୍ଡପମରେ ଏନଡିଏର ବୈଠକ ଅନୁଷ୍ଠିତ ହେବ ।
ଏଥିରେ ୨୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାବ୍ୟତୀତ ବିଜେପି ସହଯୋଗୀ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ । ସମସ୍ତ କେନ୍ଦ୍ରମନ୍ତ୍ରୀ ବୈଠକକୁ ଆସିବାର କାର୍ଯ୍ୟକ୍ରମ ରହିଛି ।ବୈଠକରେ ଇଜ୍ ଅଫ୍ ଲିଭିଂ ଏବଂ ଇଜ୍ ଅଫ୍ ଡୁଇଂ ତଥା ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଉପରେ ଆଲୋଚନା କରାଯାଇପାରେ । ଏହାବ୍ୟତୀତ ଜାତୀୟ ବିକାଶ କାର୍ଯ୍ୟକ୍ରମ, କେନ୍ଦ୍ର ସରକାରଙ୍କ ଭବିଷ୍ୟତର ଯୋଜନା ବାବଦରେ ମଧ୍ୟ ଆଲୋଚନା ହୋଇପାରେ ।
