ଭୁବନେଶ୍ବର:  ଖୁବଶୀଘ୍ର ବଢ଼ିପାରେ ବିଦ୍ୟୁତ୍‌ ଟାରିଫ୍ । ଏନେଇ ଓଏଚ୍‌ପିସି ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡ଼ିଛି।  ଚଳିତ ଆର୍ଥିକବର୍ଷ ୨୦୨୬-୨୭ ପାଇଁ  ଓ଼ଡ଼ିଶା ବିଦ୍ୟୁତ୍ ନିୟାମିକ ଆୟୋଗ(ଓଇଆର୍‌ସି) ଅନୁମୋଦନ କରିଥିବା ସମୁଦାୟ ରାଜସ୍ୱ ପରିମାଣ ଓ ଟାରିଫ୍ ଆଦେଶ ଉପରେ ଅସନ୍ତୋଷ ପ୍ରକାଶ କରି ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍‌ପିସି) ତାହାର ପୁନର୍ବାର ସମୀକ୍ଷା ପାଇଁ ଗତ ୬ତାରିଖରେ  ଦରଖାସ୍ତ କରିଛି। ଅତିରିକ୍ତ ପୁଞ୍ଜିନିବେଶ ପରିମାଣ, ସୁଧ,  ସମ୍ପତ୍ତି କ୍ଷୟ, ପରିଚାଳନା ଓ ରକ୍ଷଣାବେକ୍ଷଣା ଖର୍ଚ୍ଚ ଏବଂ ଆୟକର ପ୍ରଭୃତି ପ୍ରସଙ୍ଗରେ ତ୍ରୁଟି ରହିଥିବା ଓଏଚ୍‌ପିସି ଦର୍ଶାଇଛି। ଏହାକୁ ସମୀକ୍ଷା କରି ଚଳିତବର୍ଷ ପାଇଁ ଅନୁମୋଦିତ ସମୁଦାୟ ରାଜସ୍ୱ ଆବଶ୍ୟକତା ପରିମାଣକୁ ୭୬ କୋଟି ୫୭ ଲକ୍ଷ ଟଙ୍କା ବୃଦ୍ଧି କରିବା ପାଇଁ ସତ୍ୟପାଠରେ ଦର୍ଶାଇଛି। ସେଥିପାଇଁ ଓଏଚ୍‌ପିସିର ହାରାହାରି ଟାରିଫ୍ ୟୁନିଟ୍ ପିଛା ୧୩.୬୬ ପଇସା ବୃଦ୍ଧି କରିବ। ତେବେ ଓଡ଼ିଶାର ବଳକା ବିଦ୍ୟୁତ୍‌କୁ ବାଦଦେଇ  ଓଇଆର୍‌ସି ୨୦୨୬-୨୭ରେ ସମୁଦାୟ ୪୧୧୦୯ ନିୟୁତ ୟୁନିଟ୍ ବ୍ୟବସାୟ ପାଇଁ ଗ୍ରିଡ୍‌କୋକୁ ଅନୁମତି ଦେଇଥିବା ବେଳେ ସେଥିରୁ ଓଏଚ୍‌ପିସି ୫୮୬୧ ନିୟୁତ ୟୁନିଟ୍ ଗ୍ରିଡ୍‌କୋକୁ ଯୋଗାଇଦେବ। ଚଳିତବର୍ଷ ପାଇଁ ଓଏଚ୍‌ପିସିର ସମୁଦାୟ ରାଜସ୍ୱ ଆବଶ୍ୟକତା ପରିମାଣ ୫୫୦ କୋଟି ୧୭ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ ତାହାକୁ ୬୨୬ କୋଟି ୭୪ ଲକ୍ଷ ଟଙ୍କାକୁ ବୃଦ୍ଧିକରିବା ପାଇଁ ଦରଖାସ୍ତରେ ଓଇଆର୍‌ସିଙ୍କୁ ନିବେଦନ କରିଛି। ସେହିପରି ଓଏଚପିସିର ହାରାହାରି ଉତ୍ପାଦନ ଟାରିଫ୍ ଚଳିତବର୍ଷ ପାଇଁ ୯୮.୨୨ ପଇସା ଅନୁମୋଦନ ହୋଇଥିବାବେଳେ ତାହାକୁ ୟୁନିଟ ପିଛା ୧୩.୬୬ ପଇସା ବୃଦ୍ଧି କରି ୧୧୧.୮୮ ପଇସା ଧାର୍ଯ୍ୟ କରିବା ପାଇଁ ନିବେଦନ କରିଛି।