“ସମୁଦ୍ର ଆଁରେ ହବାଳିଖଟି : ୧୮ ମାସରେ ୪୦ ଫୁଟ ଭୂମି ଗ୍ରାସିଲା, ପର୍ଯ୍ୟଟକଙ୍କ ଆଗମନରେ ରୋକ୍”


ରାଜନଗର:ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ଅଞ୍ଚଳରେ ସମୁଦ୍ରର ଉଗ୍ରତା ଦିନକୁ ଦିନ ବଢ଼ୁଛି। ସମୁଦ୍ର ଜଳପତ୍ତନ ବୃଦ୍ଧି ସହିତ ତଟଭୂମିକୁ ମାଡ଼ିଆସୁଥିବାରୁ ଏଠାରେ ଭୂକ୍ଷୟ ଗଭୀର ଆକାର ନେଇଛି। ଏକଦା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିବା ହବାଳିଖଟି ଗତ ୧୮ ମାସରେ ଭୟାବହ କ୍ଷତିଗ୍ରସ୍ତ ହୋଇଛି।
ବାତ୍ୟା ‘ଦାନା’ ସମୟରେ ଉଚ୍ଚ ଜୁଆର ଭୟଙ୍କର ଭାବେ ମାଡ଼ ହେବାରୁ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ନିର୍ମିତ ଡଲଫିନ୍‌ ହାଉସ୍‌ ଭାରୀ କ୍ଷତି ସହନ କରିଥିଲା। ଏହା ସହ ଘରର ତଳୁ ପ୍ରାୟ ୫ ଫୁଟ ଗଭୀରର ବାଲି ଭାସିଯାଇଥିବା ସୂଚନା ମିଳିଛି। ବାତ୍ୟା ପରେ ଗତ ଦେଢ଼ବର୍ଷ ଭିତରେ ସମୁଦ୍ର ପ୍ରାୟ ୪୦ ଫୁଟ ସ୍ଥଳଭାଗକୁ ମାଡ଼ିଆସିଛି। ଫଳରେ, ଡଲଫିନ୍‌ ହାଉସ୍‌ ନିକଟରେ ଥିବା ୫ଟି ଟେଣ୍ଟ ହାଉସ୍‌ ସମୁଦ୍ର ଗର୍ଭକୁ ଚାଲିଯାଇଛି। କେବଳ ହବାଳିଖଟି ନୁହେଁ, ସାତଭାୟାରୁ ବାବୁବାଲି ପର୍ଯ୍ୟନ୍ତ ବଙ୍ଗୋପସାଗର କୂଳରେ ଥିବା ବାଲି ପାହାଡ଼ଗୁଡ଼ିକୁ ସମୁଦ୍ର ଧୋଇ ନେଉଛି। ଏହା ସହ ଉପକୂଳକୁ ସୁରକ୍ଷା ଯୋଗାଉଥିବା ଶତାଧିକ ଗଛର ମୂଳ ତଳୁ ମାଟି ଭସିଯାଉଛି। ହବାଳିଖଟିରେ ପର୍ଯ୍ୟଟକଙ୍କ ପାଇଁ ୪ଟି ଡଲଫିନ୍‌ ହାଉସ୍‌ ଓ ୫ଟି ଟେଣ୍ଟ ହାଉସ୍‌ ନିର୍ମାଣ କରାଯାଇଥିଲା। ପୂର୍ବରୁ ପର୍ଯ୍ୟଟକମାନେ ଏଠାରେ ରହି ପ୍ରକୃତିର ସୌନ୍ଦର୍ଯ୍ୟ ଓ ଡଲଫିନ୍‌ଙ୍କ ଜଳକ୍ରୀଡ଼ା ଉପଭୋଗ କରୁଥିଲେ। କିନ୍ତୁ ବାତ୍ୟା ପରେ ଏହି ଅଞ୍ଚଳର ପରିସ୍ଥିତି ଆପଦଜନକ ହୋଇଯାଇଛି।ଏହି ବିପର୍ଯ୍ୟୟରେ ପୁରୁଣା ୱାଚ୍‌ ଟାୱାର୍‌ ଭାସିଯାଇଥିବା ବେଳେ ଡଲଫିନ୍‌ ହାଉସ୍‌ ମଧ୍ୟ ସମୁଦ୍ର ଗର୍ଭକୁ ଲୀନ ହୋଇଛି। ଚାରିବର୍ଷ ପୂର୍ବେ ସମୁଦ୍ରରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ରୋଷେଇଘର ଓ କ୍ୟାଣ୍ଟିନ ମଧ୍ୟ ଧସିଯାଇଛି।ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୪ ନଭେମ୍ବରରୁ ହବାଳିଖଟିକୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହା ନେଇ ସ୍ଥାନୀୟ ଲୋକମାନେ ଓ ପର୍ଯ୍ୟଟନ ସମ୍ବନ୍ଧିତ ବ୍ୟବସାୟୀମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି।

Related Posts