ପୁରୀ:ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ କେନ୍ଦ୍ର କରି ଦୀର୍ଘଦିନର ଅପେକ୍ଷା ଓ ଅନେକ ପ୍ରଶ୍ନର ଶେଷ ହେବାକୁ ଯାଉଛି। ଆସନ୍ତା ୨୫ ତାରିଖରୁ ରତ୍ନ ଅଳଙ୍କାରର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସମସ୍ତ ପ୍ରକ୍ରିୟାକୁ ମହାପ୍ରଭୁଙ୍କ ନିକଟରେ ସମର୍ପିତ କରାଯାଇଥିବା ସେ କହିଛନ୍ତି।ଏହି ଗଣତିମଣତି କେବଳ ଗଣନାରେ ସୀମିତ ରହିବ ନୁହେଁ, ବରଂ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ରତ୍ନ ଓ ଅଳଙ୍କାରର ଓଜନ ମାପାଯିବ ଓ ଜେମୋଲୋଜିଷ୍ଟମାନେ ତାହାର ସଠିକ୍ ଚିହ୍ନଟ କରିବେ। ତେବେ ଏଥିରେ କୌଣସି ମୂଲ୍ୟାୟନ କରାଯିବ ନାହିଁ।ସୁରକ୍ଷା ଓ ପାରମ୍ପରିକତାକୁ ମୁଖ୍ୟ କରି ସମସ୍ତ ପ୍ରକ୍ରିୟା ପାଇଁ ଏସ୍ଓପି ପ୍ରସ୍ତୁତ କରାଯାଇଛି। କେବଳ ଅଧିକୃତ ସଦସ୍ୟମାନେ ପାରମ୍ପରିକ ପରିଧାନରେ ଏହି ପ୍ରକ୍ରିୟାରେ ସାମିଲ ହେବେ। ଡିଜିଟାଲ୍ ଫଟୋଗ୍ରାଫି ସହ ତଥ୍ୟ ସଂରକ୍ଷଣ କରାଯିବ ଓ ଗଣନା ପରେ ରତ୍ନଗୁଡ଼ିକୁ ବିଶେଷ ପ୍ରକ୍ରିୟାରେ ସିନ୍ଦୁକରେ ସୁରକ୍ଷିତ ରଖାଯିବ।ଗଣନା ପ୍ରକ୍ରିୟାକୁ ତିନି ଧାପରେ କରାଯିବ—ପ୍ରଥମେ ଚଳନ୍ତି ଭଣ୍ଡାର, ପରେ ବାହାର ଭଣ୍ଡାର ଓ ଶେଷରେ ଭିତର ଭଣ୍ଡାର। ସୁନା, ରୁପା ଓ ଅନ୍ୟ ଅଳଙ୍କାର ପାଇଁ ପୃଥକ୍ ରଙ୍ଗର କପଡ଼ା ବ୍ୟବହାର କରାଯିବ, ଯାହା ପାରମ୍ପରିକ ନିୟମକୁ ମାନ୍ୟ କରେ।ଏହି ଗଣତିମଣତି ପ୍ରକ୍ରିୟା ସମୟରେ ଭକ୍ତମାନଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ବାଧା ନ ପଡ଼ିବାକୁ ବିଶେଷ ଧ୍ୟାନ ଦିଆଯାଇଛି। ତଥାପି ଗଣନା ଦିନରେ ଭକ୍ତମାନେ ବାହାର କାଠରୁ ଦର୍ଶନ କରିବେ।ଉଲ୍ଲେଖନୀୟ ଯେ, ୧୯୭୮ ମସିହାରେ ଏହି ଗଣନା ପାଇଁ ୭୨ ଦିନ ଲାଗିଥିଲା। ଏଥର କେତେ ଦିନ ଲାଗିବ ତାହା ନେଇ ସ୍ପଷ୍ଟ ସମୟସୀମା ନାହିଁ। ତଥାପି ରତ୍ନଭଣ୍ଡାରକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଦୂର କରିବାରେ ଏହି ପ୍ରକ୍ରିୟା ଏକ ଐତିହାସିକ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି।ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଉଚ୍ଚସ୍ତରୀୟ କମିଟି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶ୍ରୀମନ୍ଦିରରେ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।





