ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଭାରତ ଗତମାସରେ ରୁଷ ଠାରୁ ଦ୍ବିତୀୟ ସର୍ବାଧିକ ଅଶୋଧିତ ତେଲ କିଣିଛି। ଯାହାର ମୂଲ୍ୟ ମୂଲ୍ୟ ପ୍ରାୟ ୬.୭ ବିଲିଅନ ଡଲାର । ମେ ମାସରେ ଭାରତ ଏହାର ମୋଟ ଅଶୋଧିତ ତେଲ ଆମଦାନିର ପ୍ରାୟ ୮୩ ପ୍ରତିଶତ ରୁଷ୍ରୁ ମଗାଇଛି। ଏପ୍ରିଲ ତୁଳନାରେ ମେ ମାସରେ ଭାରତର ମୋଟ ଅଶୋଧିତ ତେଲ ଆମଦାନି ପରିମାଣ ୮ ପ୍ରତିଶତ ବଢ଼ିଛି। କିନ୍ତୁ ରୁଷ୍ରୁ ଆମଦାନି ୨୧ ପ୍ରତିଶତ ବଢ଼ିଛି ବୋଲି ୟୁରୋପର ସେଣ୍ଟର୍ ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏୟାର (ସିଆର୍ଇଏ) ଏହାର ରିପୋର୍ଟରେ ଦର୍ଶାଇଛି। ଭାରତର କେତେକ ପ୍ରମୁଖ ତେଲ ବିଶୋଧନ କେନ୍ଦ୍ରଗୁଡ଼ିକରେ ମେ ମାସରେ ରୁଷ୍ ତେଲ ଆଗମନ ବଢ଼ିଛି। ଗୁଜରାଟର ଭାଡ଼ିନାର ବିଶୋଧନାଗାରରେ ଏପ୍ରିଲ ତୁଳନାରେ ୩୬ ପ୍ରତିଶତ ଅଧିକ ଅଶୋଧିତ ତେଲ ପହଞ୍ଚିଛି।
ସେହିଭଳି ଜାମନଗର ବିଶୋଧନ କମ୍ପ୍ଲେକ୍ସରେ ଅଧିକ ୧୪ ପ୍ରତିଶତ ଅଶୋଧିତ ତେଲ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ମଧ୍ୟ ରୁଷ୍ରୁ ତେଲ କିଣିବା ବଢ଼ାଇଛନ୍ତି। ନ୍ୟୁ ମାଙ୍ଗାଲୋର ଓ ବିଶାଖାପଟନମ୍ ରିଫାଇନାରି ଗତବର୍ଷ ନଭେମ୍ବରରେ ରୁଷ୍ ତେଲ ଆମଦାନି ବନ୍ଦ କରିଥିଲେ। ଚଳିତବର୍ଷ ମାର୍ଚ୍ଚ ମାସରେ ସେମାନେ ଏହାର ଆମଦାନି ପୁଣି ଆରମ୍ଭ କରିଛନ୍ତି। ଏଥିସହିତ ପାରାଦୀପ ବିଶୋଧନାଗାରକୁ ରୁଷ୍ରୁ ଗତ ଦୁଇବର୍ଷ ମଧ୍ୟରେ ସର୍ବାଧିକ ଅଶୋଧିତ ତେଲ ଆସିଛି।
