ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ପ୍ରଭାବିତ ଭାରତ। ତେବେ ଏହି ଯୁଦ୍ଧ ମଧ୍ୟରେ ଗୋଟେ ବଡ଼ ସମସ୍ୟା ହୋଇ ଛିଡ଼ାହେଲା ଏଲପିଜି ସଙ୍କଟ, ଯାହା ଫଳରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାନେ ଖାଇବା ବିଲ୍ ବଢ଼େଇଲେ। ଖାଇସାରି ବିଲ୍ ଦେଖି ଗ୍ରାହକଙ୍କ ଆଶ୍ଚର୍ଯ୍ୟ ହେଲେ। ଏ ସମସ୍ୟାର ସମାଧାନ ପାଇଁ ଆସିଛି ବଡ଼ ଖବର। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ ହୋଟେଲ୍ ଓ ରେଷ୍ଟୁରାଣ୍ଟମାନଙ୍କୁ ଏଲପିଜି କିମ୍ବା ଫ୍ୟୁଏଲ୍ ଚାର୍ଜ ନାଁରେ ଅତିରିକ୍ତ ଟଙ୍କା ଆଦାୟ କରିବାକୁ ସଂପୂର୍ଣ୍ଣ ରୂପେ ମନା କରିଛି ସିସିପିଏ। ସିସିପିଏ ସ୍ପଷ୍ଟ କରିଛି ଯେ, ଗ୍ୟାସ ଖର୍ଚ୍ଚ ଖାଦ୍ୟ ପ୍ରସ୍ତୁତିର ଅଂଶ ଥିବାରୁ ଏହାକୁ ଅଲଗା ଭାବେ ବିଲ୍ରେ ଦେଖାଇ ଟଙ୍କା ନେବା ଗ୍ରାହକଙ୍କ ସହିତ ଅନ୍ୟାୟ। ଏହିପରି କାର୍ଯ୍ୟକୁ ‘ଅନଫେୟାର୍ ଟ୍ରେଡ୍ ପ୍ରାକ୍ଟିସ୍’ ବୋଲି କହିଛନ୍ତି।ଏହି ନିଷ୍ପତ୍ତି ସହିତ ଗ୍ରାହକମାନେ ଏବେ ଏପରି ଚାର୍ଜ ଦେବାକୁ ବାଧ୍ୟ ନୁହନ୍ତି। ଯଦି କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ ଏହାକୁ ଜୋରଜବରଦସ୍ତି ଲାଗୁ କରେ, ତେବେ ଗ୍ରାହକମାନେ ସିଧାସଳଖ ଅଭିଯୋଗ କରିପାରିବେ।ଉଲ୍ଲେଖନୀୟ ଯେ, ୨୦୨୨ ମସିହାରେ ମଧ୍ୟ ସିସିପିଏ ସର୍ଭିସ୍ ଚାର୍ଜ ନାଁରେ ଅତିରିକ୍ତ ଟଙ୍କା ଆଦାୟକୁ ନିୟନ୍ତ୍ରଣ କରିଥିଲା। ଏବେ ଏଲପିଜି ଚାର୍ଜ ଉପରେ ଏହି କଡ଼ା ପଦକ୍ଷେପ ଗ୍ରାହକ ଅଧିକାରକୁ ଆଉ ମଜବୁତ କରିବ ବୋଲି ଚର୍ଚ୍ଚା ହେଉଛି।





