ମସ୍କୋ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ହମଲାରେ ଥରିଲା ରୁଷ ରାଜଧାନୀ ମସ୍କୋ। ୟୁକ୍ରେନ ମସ୍କୋର ଏକ ତୈଳ ରିଫାଇନରୀ ଉପରେ ଡ୍ରୋନ୍ ହମଲା କରିଛି। ୟୁକ୍ରେନର ଏହି ଆକ୍ରମଣ ରୁଷର ରାଜଧାନୀ ମସ୍କୋକୁ ଦୋହଲାଇ ଦେଇଛି। ଏହି କାରଣରୁ ମସ୍କୋ ବିମାନ ବନ୍ଦରରେ ବାଣିଜ୍ୟିକ ଉଡ଼ାଣ ଗୁଡ଼ିକର ପରିଚାଳନାକୁ ବନ୍ଦ କରିବାକୁ ପଡ଼ିଛି। ରୁଷର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଗୁରୁବାର ହୋଇଥିବା ଏହି ହମଲା ପରେ ମସ୍କୋର ଆକାଶରେ କଳା ଧୂଆଁ ଓ ନିଆଁର ଆସ୍ତରଣ ଦେଖିବାକୁ ମିଳି ଥିଲା। ଏହି ହମଲା ମସ୍କୋର ଦକ୍ଷିଣ-ପୂର୍ବ ବାହ୍ୟ ଅଞ୍ଚଳ ସ୍ଥିତ ରୁଷୀୟ ତୈଳ ଉତ୍ପାଦକ କମ୍ପାନୀ ‘ଗାଜପ୍ରୋମ ନେଫ୍ଟ’ର ରିଫାଇନରୀ ଠାରେ ହୋଇ ଥିଲା। ରିଫାଇନରୀ ଟ୍ୟାଙ୍କର ଲିଡ୍ ଉଡ଼ିବା ସହ ଭୟଙ୍କର ଧୂଆଁ ବାହାରିବା ଦେଖା ଯାଇଛି। ଚାରି ବର୍ଷରୁ ଅଧିକ ସମୟ ପୂର୍ବରୁ ଆରମ୍ଭ ହୋଇଥିବା ରୁଷୀୟ ଆକ୍ରମଣ ପର ଠାରୁ ଏହାକୁ ୟୁକ୍ରେନର ସବୁଠୁ ବଡ଼ ଡ୍ରୋନ୍ ହମଲା ମଧ୍ୟରୁ ଗୋଟିଏ ମନେକରାଯାଏ। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଗୁଡ଼ିକ ସାରାରାତି ବିଭିନ୍ନ କ୍ଷେତ୍ରରେ ୟୁକ୍ରେନ ପକ୍ଷରୁ ଛଡ଼ା ଯାଇଥିବା ୫୫୫ ଟି ଡ୍ରୋନକୁ ନଷ୍ଟ କରି ଦେଇଛି। ଯେଉଁଥିରେ ପ୍ରାୟ ୨୦୦ଟି ଡ୍ରୋନକୁ ମସ୍କୋ ଆଡ଼କୁ ଆସୁ ଥିବା ବେଳେ ରାସ୍ତାରେ ହିଁ ରୋକି ଦିଆଯାଇ ଥିଲା। ମସ୍କୋର ମେୟର ସର୍ଗେଇ ସୋବୟାନିନ କହିଛନ୍ତି , ସହରର ଦକ୍ଷିଣ-ପୂର୍ବର ବାହ୍ୟ ଅଞ୍ଚଳରେ ଥିଲା ମସ୍କୋ ତୈଳ ରିଫାଇନରୀ ଉପରେ ଅନେକ ଡ୍ରୋନ୍ ପଡ଼ି ଥିଲା। ଅନ୍ୟପଟେ ରୁଷୀୟ ପରିବହନ ମନ୍ତ୍ରଣାଳୟ କହିଛି ଯେ, ଉକ୍ତ ହମଲା କାରଣରୁ ମସ୍କୋର ଚାରୋଟି ବିମାନ ବନ୍ଦରରୁ ଉଡ଼ାଣ ପରିଚାଳନାକୁ ରୋକି ଦିଆ ଯାଇଛି। ୟୁକ୍ରେନୀ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଏହି ହମଲାକୁ କିଭ୍ ଉପରେ ସଦ୍ୟ ହୋଇଥିବା ରୁଷୀୟ ହମଲାର ଏକ ଦୃଢ ଜବାବ ଭାବେ ଦର୍ଶାଇଛନ୍ତି। ଚଳିତ ସପ୍ତାହର ଆରମ୍ଭରେ ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କିଭ୍ – ପେଚେର୍ସ୍କ ଲାଭରା ମଠ ପରିସରର ଡୋର୍ମିଶନ କାଥେଡ୍ରଲ ଉପରେ ରୁଷୀୟ ମିସାଇଲ ଓ ଡ୍ରୋନ୍ ହମଲାରେ , ଅତି କମରେ ୧୧ ଲୋକଙ୍କ ଜୀବନ ଯାଇଥିଲା। ୟୁକ୍ରେନୀ ଅଧିକାରୀମାନେ ଏହାକୁ ନାଗରିକ ଓ ସାଂସ୍କୃତିକ ଭିତ୍ତିଭୂମି ଉପରେ କରାଯାଇ ଥିବା ସବୁଠୁ ବିନାଶକାରୀ ହମଲା ଭାବେ କହିଥିଲେ।
