ଆଉ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର: ଆସିଲା ନୂଆ ଅବକାରୀ ନୀତି। ଆଉ ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।ସରକାର ଆଣିଲେ ନୂଆ ଅବକାରୀ ନୀତି । ବିଧାନସଭାରେ ଉପସ୍ଥାପନା କଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୦୨୬ରୁ ୨୦୨୯ ପର୍ଯ୍ୟନ୍ତ ତ୍ରୈବାର୍ଷିକ ନୀତି ଘୋଷଣା । ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧ ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି ।ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି । ଏହାସହିତ ଆବଶ୍ୟକ ହେଲେ ଏହାକୁ ପରିବର୍ତ୍ତନ କରିବାର ପ୍ରକ୍ରିୟା ମଧ୍ୟ ରଖୁଛନ୍ତି ।ଏହି ନୀତି ଅଧୀନରେ ଏକ ଗୁରୁତ୍ବପୂର୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ୍‌ ପ୍ରବର୍ତ୍ତନ । ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି । ଏହି ସେସ୍‌ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ । ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ । IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି ।ସେହିପରି ନୂତନ OFF, CL କିମ୍ବା OS ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନି । ଗ୍ରାମୀଣ ଅଞ୍ଚଳରେ ନୂତନ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମୋଦନ । ଶିଳ୍ପାଞ୍ଚଳର ୩ ତାରକା ଓ ତାହା ଠାରୁ ଉପର ହୋଟେଲ୍‌ ଓ କ୍ଲବ୍‌ରେ ଛାଡ଼ ରହିବ ।ସେହିପରି ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ।

Related Posts