ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ହୋଇଥିଲା ଜୋରଦାର କ୍ରସ୍ ଭୋଟିଂ | ବିଜୁ ଜନତା ଦଳର ସର୍ବଧିକ ୮ ବିଧାୟକ କ୍ରସ ଭୋଟିଂ କରିଥିବା ବେଳେ, ଏମାନେ ଦଳୀୟ ହ୍ୱିପ ମାନିନଥିବାରୁ ଏମାନଙ୍କ ସଦସ୍ୟତା ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା ଦଳ | ହେଲେ ଏହି ଅଯୋଗ୍ୟତା ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ।
ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ଆଠ ଜଣ ବିଧାୟକଙ୍କ ବିରୋଧରେ ବିଜେଡ଼ି ଏହି ଆବେଦନ ଦାଖଲ କରିଥିଲା । ସୁବାସିନୀ ଜେନା, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବିରଞ୍ଜନ ତ୍ରିପାଠୀଙ୍କ ବିରୋଧରେ କରାଯାଇଥିଲା ଅଯୋଗତ୍ୟା ଆବେଦନ ।
ଦଳ ପକ୍ଷରୁ କଂଗ୍ରେସ ଏବଂ ବିଜେଡିର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବାକୁ ଏମାନଙ୍କୁ ହ୍ୱିପ ଜାରି କରାଯାଇଥିଲା | ହେଲେ ଏ ୮ଜଣ ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ନିଜ ଭୋଟ ଦେଇଥିଲେ | ଆଉ ଏହି ନିର୍ବାଚନରେ ଦିଲ୍ଲୀପ ରାୟ ବାଜି ମାରିନେଇଥିଲେ | ଏକାସାଙ୍ଗରେ ୮ ବିଧାୟକ ଦଳୀୟ ହ୍ୱିପ ବିରୋଧରେ ଯିବା ବିଜେଡିକୁ ବଡ଼ ଝଟକା ଦେଇଥିଲା |
