ଭୁବନେଶ୍ୱର : ବିଧାନସଭା ଷ୍ଟାଣ୍ଡିଂ କମିଟି ଗଠନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା ଓ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଷ୍ଟାଣ୍ଡିଂ କମିଟି ଗଣତାନ୍ତ୍ରିକ ଶାସନ ପଦ୍ଧତିର ଏକ ଅବିଚ୍ଛେଦ ଅଂଶ। ବିଧାନସଭା ବର୍ଷକୁ ମାତ୍ର କିଛି ଦିନ ବସୁଥିବା ବେଳେ, ସ୍ଥାୟୀ ସମିତିଗୁଡିକ ବର୍ଷସାରା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ବ୍ୟୟ ବରାଦ ତଥା ଯୋଜନାର କାର୍ଯ୍ୟାନ୍ୱୟନକୁ ସମୀକ୍ଷା କରି ସକାରାତ୍ମକ ପରାମର୍ଶ ଦେଇଥାଆନ୍ତି। ରାଜ୍ୟ ବିଧାନସଭାର ସ୍ଥାୟୀ ସମିତି (ଷ୍ଟାଣ୍ଡିଂ କମିଟି) ଗଢ଼ା ହେବାରେ ବିଳମ୍ବ ହୋଇଛି । ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଗଢ଼ା ହେବାର ପରମ୍ପରା ରହିଛି । ହେଲେ ତାହା ଭଙ୍ଗ ହୋଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ଓ କଂଗ୍ରେସର ନେତା । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ, ସାଧାରଣ ଜନତାଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସରକାରଙ୍କୁ ଅବଗତ କରାଇବା ପାଇଁ ସ୍ଥାୟୀ ସମିତି ଏକ ପ୍ରକୃଷ୍ଟ ମଞ୍ଚ । ହେଲେ ଗତ ସ୍ଥାୟୀ ସମିତିଗୁଡିକର ଅବଧି ସମାପ୍ତ ହେବା ପରେ ଏ ପର୍ଯ୍ୟନ୍ତ ନୂତନ କମିଟି ଗଠନ କରାଯାଇନାହିଁ । ବିଧାନସଭା ପରମ୍ପରା ଅନୁସାରେ ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଏହି କମିଟିର ଗଠନ କରାଯାଏ ।
