ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର ୧୦ ବିଦ୍ୟାଳୟ ମନୋନୀତ ହୋଇଛି। ଓଡିଶାର ୧୦ ବିଦ୍ୟାଳୟକୁ ମିଳିଲା ଜାତୀୟ ମାନ୍ୟତା। ଭାରତ ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR)୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା ୧୦ ବିଦ୍ୟାଳୟକୁ ଚୟନ କରାଯାଇଛି। ଓଡିଶାର ପ୍ରାୟ ୨୦ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ନିମନ୍ତେ ନୋମିନେଟ କରାଯାଇଥିଲା। ସେଥିରୁ ୧୦ଟି ବିଦ୍ୟାଳୟକୁ ମନୋନୀତ କରାଯାଇଛି।
ସ୍ବଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ ମୁଖ୍ୟତଃ ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡ ଉପରେ ବିଦ୍ୟାଳୟଗୁଡିକୁ ମୂଲ୍ୟାଙ୍କନ କରେ। ସୂଚନାଯୋଗ୍ୟ ଜାତୀୟସ୍ତରରେ ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୧ସ୍କୁଲକୁ ଏସଏଚଭିଆର-୨୦୨୫-୨୬ ଅଧୀନରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର, ସ୍ବୀକୃତି ପ୍ରମାଣପତ୍ର ଏବଂ ୩ ଦିନିଆ ଏକ୍ସପୋଜର ପରିଦର୍ଶନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।
ଏହି ଜାତୀୟସ୍ତରୀୟ ମାନତ୍ୟ ରାଜ୍ୟର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସକୁ ପ୍ରତିଫଳିତ କରୁଛି। ଏହି ସ୍ବୀକୃତି ପାଇବା ପରେ ବିଦ୍ୟାଳୟସ୍ତରରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ।