ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୁଲିସ। ସୋମବାର OAS ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି JMFC-2 କୋର୍ଟ । ରିମାଣ୍ଡ ମିଳିବା ପରେ ଏବେ ଭୀମସେନକୁ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ। ଗତ ଜୁନ୍ ୧୨ ତାରିଖ ଦିନ ଭୀମସେନଙ୍କୁ ମୟୂରଭଞ୍ଜରୁ ଗିରଫ କରିଥିଲା ପୋଲିସ। ସୂଚନାଯୋଗ୍ୟ ଯେ , ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ତେବେ ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ ହୋଇଥିଲା।