ଆନ୍ଦୋଳନକାରୀ ଲିଙ୍ଗରାଜ ଆଜାଦଙ୍କୁ ଗିରଫ କଲା କର୍ଲାପାଟ ପୁଲିସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କର୍ଲାପାଟ ପୁଲିସ ଗତକାଲି ଜଣେ ପ୍ରତିଷ୍ଠିତ ଆନ୍ଦୋଳନକାରୀ ଲିଙ୍ଗରାଜ ଆଜାଦ ଓ ତାଙ୍କ ସହଯୋଗୀ ସୁରେଶ ସଂଗ୍ରାମଙ୍କୁ ଗିରଫ କରିଛି। ଗତ ୨୦୨୫ ମସିହାରେ ଥୁଆମୂଳ ରାମପୁର ଅଞ୍ଚଳରେ ଘଟିଥିବା ଏକ ଗଣ୍ଡଗୋଳ ମାମଲାରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୨୦୨୫ ନଭେମ୍ବର ୧୬ ତାରିଖରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ନାକରୁଣ୍ଡି ଅଞ୍ଚଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଫାଲ୍ଗୁନୀ ପାତ୍ରଙ୍କ ଅଭିଯୋଗ କ୍ରମେ କର୍ଲାପାଟ ଥାନାରେ କେସ୍ ନଂ ୩୩/୨୦୨୫ ରୁଜୁ ହୋଇଥିଲା। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ସଂଗୀନ ଧାରା ଯଥା ୧୦୯(୧), ୧୯୧(୨), ୧୯୧(୩) ଏବଂ ୩୧୦(୨) ଅନୁଯାୟୀ ମାମଲା ଚାଲୁ ରହିଥିଲା।

ଗତକାଲି ଦିନ ପ୍ରାୟ ୧୨ଟା ୧୦ ମିନିଟ ସମୟରେ କର୍ଲାପାଟ ଥାନା ଏସ.ଆଇ ଶ୍ରୀକାନ୍ତ କୋଲାକାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଭବାନୀପାଟଣା ଗଉନ୍ତିଆପଡ଼ାରୁ ଲିଙ୍ଗରାଜ ଆଜାଦ (୬୪)ଙ୍କୁ ଗିରଫ କରିଥିଲେ। ଏହାର କିଛି ସମୟ ପରେ ବଜାରପଡ଼ା ଅଞ୍ଚଳରୁ ସୁରେଶ ସଂଗ୍ରାମ (୬୨)ଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇଥିଲା। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଗିରଫଦାରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related Posts