ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଅପରେସନ ସିନ୍ଦୁରରେ ସହିଦ 6 ଯବାନଙ୍କ ନାମ ସାର୍ବଜନୀନ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ପଓ୍ବନ ଖେର। ଅପରେସନ ସିନ୍ଦୁର ପରେ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦକୁ ସମ୍ବୋଧିତ କରିଥିଲେ, ସେତେବେଳେ ସେ ଯବାନଙ୍କ ସହିଦ କୌଣସି ସୂଚନା ଦେଇ ନଥିଲେ। ସେ କଣ ଜାଣି ନଥିଲେ କି ଅପରେସନ ସିନ୍ଦୁରବେଳେ 6 ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ତେବେ ଏ କଥା ସେ କାହିଁକି ଲୁଚାଇ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଯଦି ସେ ଏକଥା ଜାଣି ନଥିଲେ, ତେବେ ମନ୍ତ୍ରୀ ପଦବୀ ଉପରେ ଏକ ବିରାଟ ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି ହେଉଛି ବୋଲି ସାଂସଦ କହିଛନ୍ତି। ଏପରିକି ବିଭାଗୀୟ ମନ୍ତ୍ରୀ ଯିଏ ମନ୍ତ୍ରଣାଳୟର କାର୍ଯ୍ୟ ବିଷୟରେ ଅବଗତ ନୁହଁନ୍ତି ଏହା ବିଡ଼ମ୍ବନାର ବିଷୟ ବୋଲି ସେ କହିଛନ୍ତି। ନା ସେମାନେ ସତ୍ୟ ଜାଣିଥିଲେ, ତଥାପି ସଂସଦକୁ ବିଭ୍ରାନ୍ତ କରିବାକୁ ଏପରି ପ୍ଲାନ ବାଛିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଖେର । ଏହାଠାରୁ ଆହୁରି ଗମ୍ଭୀର, କାରଣ ଏହା ପ୍ରମାଣ କରେ ଯେ ଗଣତନ୍ତ୍ରର ମନ୍ଦିରରେ ଶପଥ କରି ଏହି ସରକାର ଦେଶକୁ ମିଛ କହୁଛନ୍ତି। ଆମର 6 ଜଣ ସାହସୀ ଯବାନ ନିଜ ଡ୍ୟୁଟି ଲାଇନରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। କିନ୍ତୁ ତାଙ୍କର ବଳି ଲୁଚି ରହିଲା। ସେମାନଙ୍କୁ ଯୋଗ୍ୟ ସମ୍ମାନ ଏବଂ ସ୍ୱୀକୃତି ଦିଆଯାଇ ନଥିଲା | ଏବଂ ସେମାନଙ୍କ ପରିବାର ମଧ୍ୟ ଆଶା କରୁଥିବା ସ୍ୱଚ୍ଛତାରୁ ବଞ୍ଚିତ ହୋଇଥିଲେ। ଏହା ଆମର ଯବାନଙ୍କ ପାଇଁ ଅପମାନ ବୋଲି ସେ କହିଛନ୍ତି। ପ୍ରକୃତ ଦେଶପ୍ରେମୀ ଏହା ଉପରେ ନୀରବ ରହିପାରିବେ ନାହିଁ ବୋଲି ସେ ବିବୃତ୍ତି ଦେଇଛନ୍ତି।
