ମହାପ୍ରଭୁ ଯାତ୍ରା ସମୟରେ ଅନେକ ଅଳଙ୍କାର ପରିଧାନ କରିଥାନ୍ତି । ଏଥୁମଧ୍ୟରେ ଟାହିଆ ଅନ୍ୟତମ । ଶ୍ରୀବିଗ୍ରହମାନେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା ସମେତ ଆଡ଼ପ ବିଜେ ଏବଂ ନୀଳାଦ୍ରି ବିଜେ ସମୟରେ ମସ୍ତକରେ ଟାହିଆ ପରିଧାନ କରିଥାନ୍ତି I ଟାହିଆ ମୁଖ୍ୟତଃ ସୋଲ, ବାଉଁଶକାଠି, ବିଭିନ୍ନ ପ୍ରକାର ଫୁଲରେ ନିର୍ମିତ ହୋଇଥାଏ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ରାଘବ ଦାଶ ମଠ ପକ୍ଷରୁ ଟାହିଆଗୁଡ଼ିକ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଇଥାଏ। ଟାହିଆଗୁଡ଼ିକ ସ୍ବତନ୍ତ୍ର ଶୈଳୀ ତଥା ମାପରେ ନିର୍ମିତ ହୋଇଥାଏ । ଟାହିଆ ଉପରି ଭାଗରେ ଦୂବ ଓ ଫୁଲ ଲଗାଯାଇଥାଏ । ଟାହିଆ ଆକୃତି ପାନପତ୍ର ସଦୃଶ ହୋଇଥାଏ । ଉଚ୍ଚତା ପ୍ରାୟ ୬ ଫୁଟ ହୋଇଥିବାବେଳେ ବ୍ୟାସ ସାଢ଼େ ୮ ଫୁଟ । ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ମଙ୍ଗଳାର୍ପଣ ନୀତି ସରିବା ପରେ ଶ୍ରୀମନ୍ଦିରକୁ ଟାହିଆ ବିଜେ ହୋଇଥାଏ। ସ୍ନାନଯାତ୍ରାରେ ଠାକୁରମାନେ ସ୍ନାନମଣ୍ଡପକୁ ଆସିବା ସମୟରେ ଓ ପହଣ୍ଡି ହୋଇ ଅଣସର ପିଣ୍ଡିକୁ ଯିବାବେଳେ ଟାହିଆ ପରିଧାନ କରିଥାନ୍ତି I