ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ଵରରେ ପୀଡ଼ିତ ହୋଇ ୧୫ ଦିନ ପାଇଁ ଅଣସର ଘରକୁ ଚାଲିଯାଆନ୍ତି। ଏହି ଗୋପନୀୟତା ଓ ନିର୍ଜନତା ହେଉଛି ଆତ୍ମ-ନିରୀକ୍ଷଣର ପ୍ରତୀକ। ବାହ୍ୟ ଜଗତର କୋଳାହଳରୁ ଦୂରେଇ ଯାଇ ନିଜ ଅନ୍ତରାତ୍ମା ସହ ସଂଯୁକ୍ତ ହେବା ପାଇଁ ଏହା ମାନବକୁ ପ୍ରେରଣା ଦିଏ। ସମନ୍ଵୟ ଓ ଏକତ୍ଵବାଦର ଦର୍ଶନ ହେଉଛି ସ୍ନାନଯାତ୍ରାର ଅନ୍ୟତମ ମୁଖ୍ୟ ଆଧ୍ୟାତ୍ମିକ ଦିଗ । ଏହି ସମୟରେ ବୈଦ୍ୟଙ୍କ ଦ୍ବାରା ନିର୍ମିତ ଫୁଲୁରି ତେଳରେ ମାର୍ଜିତ ପରେ ଧିରେ ଧିରେ ଠାକୁର ଉପଶମ ହୋଇଥାନ୍ତି। ସମ୍ପୂର୍ଣ୍ଣ ଉପଶମ ପରେ ଠାକୁର ନବଯୌବନ ଦର୍ଶନ ଦେଇଥାନ୍ତି।
ସ୍ନାନ ପୂର୍ଣ୍ଣିମା ଆମକୁ ଏହା ଶିଖାଏ ଯେ, ସଂସାରର ସମସ୍ତ ସୁଖ-ଦୁଃଖକୁ ଅତିକ୍ରମ କରି, ନିଜକୁ ନିର୍ମଳ କରି ସେହି ପରମେଶ୍ଵରଙ୍କ ଚରଣରେ ସମର୍ପଣ କରିବା ହିଁ ମାନବ ଜୀବନର ଚରମ ଓ ପରମ ଲକ୍ଷ୍ୟ। ପ୍ରଭୁଙ୍କର ଅଣସର ଯାତ୍ରା ପରି ଆମେ ମଧ୍ୟ କିଛି ସମୟ ନିରବତା ଓ ଅନ୍ତର୍ମୁଖୀ ସାଧନାରେ ବିତାଇଲେ ହିଁ ଜୀବନରେ ସତ୍ୟର ନବଯୌବନ ରୂପ ଦର୍ଶନ କରିପାରିବା।
