“ଆମେ ଅତି ଗରିବ ଲୋକ, ଘରେ ଖାଇବାକୁ ଦାନା ମୁଠେ ନାହିଁ। ହସ୍ପିଟାଲରୁ ସ୍ତ୍ରୀର ଶବ ନେବା ପାଇଁ ଗାଡ଼ି ବାଲା ୫ ହଜାର ଟଙ୍କା ମାଗିଲା। ଏତେ ଟଙ୍କା ମୁଁ କେଉଁଠୁ ପାଇବି? ତେଣୁ ବାଧ୍ୟ ହୋଇ ବାଇକରେ ସ୍ତ୍ରୀର ଶବକୁ ବାନ୍ଧି ଘରକୁ ଆଣିଲି।” ଗଣମାଧ୍ୟମ ଆଗରେ ନିଜ ଆଖିର ଲୁହ ଶୁଖାଇ ଏଭଳି କୋହଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଲଇକେରା ବ୍ଲକ ଭାତଲଇଡ଼ା ପଞ୍ଚାୟତ ଓଡ଼ିଆପାଲି ଗ୍ରାମର ଅସହାୟ ସ୍ୱାମୀ ନରେଶ କିଷାନ। ନିଜ ଜୀବନସାଥୀ ଯମୁନା କିଷାନଙ୍କୁ ହରାଇବା ପରେ ଏବେ ସାମାଜିକ ପ୍ରଥା ଓ ଆର୍ଥିକ ଅନାଟନ ମଧ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ନରେଶ।
ନରେଶଙ୍କ କହିବା ଅନୁଯାୟୀ, ଗତକାଲି ଭୋର ପ୍ରାୟ ୪ଟା ସମୟରେ ତାଙ୍କ ଝିଅ ହଠାତ୍ ତାଙ୍କୁ ଡାକି କହିଥିଲା ଯେ ମା’ଙ୍କୁ କେମିତି କେମିତି ହେଉଛି। ନରେଶ ଦୌଡ଼ିଯାଇ ଦେଖିବା ବେଳକୁ ଯମୁନାଙ୍କର ନାଡ଼ି ପ୍ରାୟତଃ ବନ୍ଦ ହେବାକୁ ଯାଉଥିଲା ଏବଂ ସେ ଛଟପଟ ହେଉଥିଲେ। ବ୍ୟାକୁଳ ହୋଇ ନରେଶ ସଙ୍ଗେ ସଙ୍ଗେ ସରକାରୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସିବା ପରେ ସ୍ତ୍ରୀଙ୍କୁ ସେଥିରେ ଲୋଡ୍ କରି ତୁରନ୍ତ ମୁନ୍ଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତରୀ ଦଳ ଯମୁନାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ସ୍ତ୍ରୀର ମୃତ୍ୟୁ ଖବର ଶୁଣି ନରେଶ ସର୍ବସ୍ୱ ହରାଇବା ଭଳି ସ୍ଥିତିକୁ ଚାଲିଯାଇଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଶବ ବ୍ୟବଚ୍ଛେଦ କରିବା ପାଇଁ କହିଥିଲେ। ମାତ୍ର ସ୍ଥାନୀୟ ଜାତି ସମାଜର ରୀତିନୀତି ଅନୁସାରେ ଯଦି ଶବ ବ୍ୟବଚ୍ଛେଦ ହୁଏ, ତେବେ ଶବ ଅଶୁଦ୍ଧ ହୋଇଯାଏ। ଏଥିପାଇଁ ପରିବାରକୁ ସମାଜରେ ପୁନର୍ବାର ମିଶିବାକୁ ହେଲେ ବଡ଼ ଧରଣର ଭୋଜିଭାତ ଦେଇ ‘ଜାତି ଖୁଆଇବାକୁ’ ପଡ଼ିଥାଏ। ଘରେ ଦାନା ମୁଠେ ନଥିବା ବେଳେ ଏଭଳି ସାମାଜିକ ଖର୍ଚ୍ଚ ନରେଶଙ୍କ ପାଇଁ ଅସମ୍ଭବ ଥିଲା। ଏଥିସହ ଡାକ୍ତରଖାନାରୁ ଗାଁକୁ ଶବ ନେବା ପାଇଁ ଟେମ୍ପୁ ବାଲା ୫ ହଜାର ଟଙ୍କା ଦାବି କରିଥିଲା। ପାଖରେ ଗୋଟିଏ ବି ଟଙ୍କା ନଥିବାରୁ ନରେଶ ଶବ ବ୍ୟବଚ୍ଛେଦ ପାଇଁ ମନା କରି ଡାକ୍ତରଖାନାରୁ ସ୍ତ୍ରୀର ମୃତଦେହକୁ ଏକ ବାଇକ୍ ସାହାଯ୍ୟରେ ସିଧାସଳଖ ନିଜ ଗ୍ରାମ ଓଡ଼ିଆପାଲିକୁ ବୋହି ଆଣିଥିଲେ।
ନରେଶ କହିଛନ୍ତି ଯେ, ସେମାନେ ଅତି ଗରିବ ଶ୍ରେଣୀର ପରିବାର। ତାଙ୍କ ପରିବାରରେ କହିବାକୁ ଗଲେ କେବଳ ଦୁଇ ଜଣ ସଦସ୍ୟ ରହିଛନ୍ତି ଏବଂ ରୋଜଗାରର କୌଣସି ସ୍ଥାୟୀ ପନ୍ଥା ନାହିଁ। ସ୍ତ୍ରୀଙ୍କ ମୃତ୍ୟୁ ପରେ ଆଗକୁ ଶୁଦ୍ଧିକ୍ରିୟା କାର୍ଯ୍ୟ କିଭଳି କରିବେ ଏବଂ ଜାତି ସମାଜର ନୀତି ନିୟମ କିଭଳି ତୁଲାଇବେ, ସେଥିପାଇଁ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ଏଭଳି କଠିନ ସମୟରେ ତାଙ୍କୁ ସରକାରୀ ସହାୟତା ଏବଂ ସାମାଜିକ ସହଯୋଗ ଯୋଗାଇ ଦେବା ପାଇଁ ନରେଶ ଆକୁଳ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନରେଶଙ୍କ ଏହି କରୁଣ କାହାଣୀ ଶୁଣିବା ପରେ ସ୍ଥାନୀୟ ବିଧାୟକ ତାଙ୍କ ଘରକୁ ଯାଇ ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
