କୁଏତ୍, କତାର ଓ ବାହରିନ ସେନାଘାଟି ଉପରେ ମିସାଇଲ୍ ମାଡ଼
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଇରାନ ଓ ଆମେରିକା ଯୁଦ୍ଧ ମଧ୍ୟରେ ମଧ୍ୟ-ପ୍ରାଚ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡ଼ିଛି। ଆମେରିକାର ଆକ୍ରମଣ ପରେ ଏବେ ଇରାନ ପାଲଟା ଜବାବ ଦେଇଛି । ଉପସାଗରୀୟ ଦେଶ ଗୁଡ଼ିକରେ ଥିବା ଆମେରିକାର ସାମରିକ ଘାଟିକୁ ଟାର୍ଗେଟ୍ କରି ଇରାନ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ‘ଅଲ୍ ଜଜିରା’ର ରିପୋର୍ଟ ଅନୁଯାୟୀ, କୁଏତ୍, କତାର ଏବଂ ବାହାରିନରେ ଥିବା ଆମେରିକୀୟ ସେନା ଶିବିର ଉପରେ ଏହି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି। କୁଏତ୍ ସେନାର ଜେନେରାଲ ଷ୍ଟାଫ୍ ସୂଚନା ଦେଇଛନ୍ତି ଯେ, ସେମାନଙ୍କ ଏୟାର ଡିଫେନ୍ସ ସିଷ୍ଟମ ଶତ୍ରୁପକ୍ଷର ମିସାଇଲ୍ ଏବଂ ଡ୍ରୋନ୍କୁ ଆକାଶରେ ହିଁ ଧ୍ୱଂସ କରୁଛି । ଦେଶର ‘କୁନା’ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସୁରକ୍ଷାକୁ ଦୃଷ୍ଟିରେ ରଖି ସାରା ଦେଶରେ ଯୁଦ୍ଧକାଳୀନ ସାଇରନ୍ ବଜାଯାଇଛି। କତାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କ ପାଇଁ ଜରୁରୀକାଳୀନ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ଘର ଭିତରେ ରହିବାକୁ ଏବଂ କାଚ କବାଟ, ଝରକାଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କିଛି ସମୟ ପରେ ସେଠାରେ ବିପଦ ଟଳିଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ, ବାହରିନରେ ଅବସ୍ଥିତ ଆମେରିକା ନୌସେନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଫିପ୍ଥ ଫ୍ଲିଟ୍ ର ମୁଖ୍ୟାଳୟକୁ ଇରାନ ଟାର୍ଗେଟ୍ କରିଛି । ବାହାରିନ ଗୃହ ମନ୍ତ୍ରଣାଳୟ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି, କିନ୍ତୁ ଏହା ଇରାନର ଆକ୍ରମଣ କି ନୁହେଁ ସେନେଇ ସ୍ପଷ୍ଟ କରିନାହିଁ । ସେଠାରେ ଦୁଇ ଦୁଇ ଥର ଆଲର୍ଟ ସାଇରେନ୍ ଶୁଣିବାକୁ ମିଳିଛି । ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା କାରଣରୁ ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଧରଣର ଯୁଦ୍ଧ ହେବା ଆଶଙ୍କା ପ୍ରକାଶ ପାଇଛି । ଏହାକୁ ରୋକିବା ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ସକ୍ରିୟ ହୋଇଛନ୍ତି । ସାଉଦି ଆରବର ପ୍ରସିଦ୍ଧ ସମ୍ବାଦପତ୍ର ‘ଅଲ୍ ଆରବିଆ’ର ସୂତ୍ର ଅନୁଯାୟୀ, ଜେନେରାଲ ମୁନିର ଯୁଦ୍ଧ ସ୍ଥିତିକୁ ଟାଳିବା ପାଇଁ ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ଇରାନର ଶୀର୍ଷ ନେତାମାନଙ୍କ ସହ କ୍ରମାଗତ ଭାବେ ଆଲୋଚନା ଚଳାଇଛନ୍ତି । ମହମ୍ମଦ ବାକର ଗାଲିବାଫ୍ କହିଛନ୍ତି “ଆକ୍ରମଣ କଲେ, ପରିଣାମ ଭୋଗିବ ଆମେରିକା” ଇରାନ ସଂସଦର ବାଚସ୍ପତି ତଥା ପ୍ରମୁଖ ଆଲୋଚକ ମହମ୍ମଦ ବାକର ଗାଲିବାଫ୍ ୱାଶିଂଟନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଯଦି ଆମେରିକା ଆମ ଉପରେ ଆକ୍ରମଣ କରେ, ତେବେ ତାକୁ ମଧ୍ୟ ଜବାବୀ ଆକ୍ରମଣର ସାମ୍ନା କରିବାକୁ ପଡ଼ିବ । ପ୍ରତିଶ୍ରୁତି ଭଙ୍ଗ କରିବାର ମୂଲ୍ୟ ଆମେରିକାକୁ ଭୋଗିବାକୁ ହେବ ।” ଏହା ସହିତ ସେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ହୋର୍ମୁଜକୁ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ଗାଲିବାଫ୍ କହିଛନ୍ତି ଯେ, ଏହି ରାସ୍ତା କେବଳ ଇରାନର ନିୟମ ଓ ବ୍ୟବସ୍ଥା ଅନୁଯାୟୀ ଖୋଲିବ, ଆମେରିକାର କୌଣସି ଧମକ ଚଳିବ ନାହିଁ ।
