ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ) : ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି। ଟଙ୍କା ବିତରଣକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓସିଏସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୨୬-୨୭ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ଟି ନୂଆ ଆବେଦନ ଆସିଛି। ଡିବିଟି, ଇ କେୱାଇସି, ଫିଲଡ଼ ଭେରୀଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମସ୍ୟା ରହିଛି। ୮୨ ହଜାର ୩୬ଟି ଡିବିଟି ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍, ଇ-କେୱାଇସି ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ମ ଏନକ୍ସାରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ପାଇଁ ଫିଲଡ଼ ତଦନ୍ତ ପାଇଁ ବ୍ଲକ କମିଟି ଜିଲ୍ଲା କମିଟିକୁ ରିପୋର୍ଟ ଦେବ। ଜିଲ୍ଲା କମିଟି ଜୁଲାଇ ୨୫ ଭିତରେ ରାଜ୍ୟ କମିଟିକୁ ରିପୋର୍ଟ ଦେବେ। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧,୧୫,୭୫,୬୩୩ଟି ଆବେଦନ ପଞ୍ଜୀକୃତ ହୋଇଛି। ସମସ୍ତ ଯାଞ୍ଚ ଓ ଯୋଗ୍ୟତା ନିର୍ଣ୍ଣୟ ପରେ ୧,୦୨,୦୪,୩୯୬ ଜଣ ସମ୍ଭାବ୍ୟ ହିତାଧିକାରୀଙ୍କୁ ମିଳିବ ୫ମ କିସ୍ତି। ମୃତ୍ୟୁବରଣ କରିଥିବା ୫,୨୭୭ ଜଣ ହିତାଧିକାରୀଙ୍କ ନାମ ବାଦ ଦିଆଯିବ ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ଚାରୋଟି କିସ୍ତିରେ ୧୨୦,୬୪୮. ୬୩ କୋଟି ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ଏକ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି।
