ଭୁବନେଶ୍ୱର, ୧୨/୦୭/୨୦୨୬: ରାଜ୍ୟ ବିଜେପି ସରକାର, ନବୀନ ସରକାରଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବା ମିଶନ ଶକ୍ତିର ଗୌରବମୟ ଇତିହାସକୁ ଲିଭାଇବାର ବୃଥା ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାର ଜନମାନସକୁ ଅପମାନିତ କରିବା ସହିତ ସରକାରଙ୍କ ଅସୁରକ୍ଷିତ ମନୋଭାବକୁ ପ୍ରଦର୍ଷିତ କରୁଛି ବୋଲି ବିଜେଡି କହିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟିକା ତଥା ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ରାଜ୍ୟ ମହିଳା କମିସନର ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ରାଜ୍ୟ ସରକାରଙ୍କ ପଦକ୍ଷେପ ତାଙ୍କ ହିନମନ୍ୟତାକୁ ପ୍ରଦର୍ଷିତ କରୁଛି ବୋଲି କହିଛନ୍ତି ।
ବିଜେଡିର ଏହି ନାରୀନେତ୍ରୀ ମାନେ କହିଥିଲେ ଯେ, ମିଶନ ଶକ୍ତି ସମ୍ୱନ୍ଧୀୟ ସରକାରୀ ୱେବ୍ସାଇଟ୍ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଫଟୋ ଓ ତଥ୍ୟ ହଟାଇବାର ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ବର୍ତ୍ତମାନ ସରକାରଙ୍କ ଗଭୀର ଅସୁରକ୍ଷିତ ମନୋଭାବର ପ୍ରତିଫଳନ । ଯେଉଁ ସରକାର ଇତିହାସ ସୃଷ୍ଟି କରିବାର କ୍ଷମତା ରଖନ୍ତି, ସେ ଇତିହାସକୁ ସଂରକ୍ଷଣ କରନ୍ତି, କିନ୍ତୁ ଯେଉଁ ସରକାର ନିଜେ ଇତିହାସ ସୃଷ୍ଟି କରିବାରେ ଅକ୍ଷମ, ସେ ଇତିହାସକୁ ଲିଭାଇବାର ପ୍ରୟାସ କରିଥାଏ । ଦୁଃଖ ଓ ପରିତାପର ବିଷୟ, ବର୍ତ୍ତମାନର ସରକାର ଇତିହାସ ସୃଷ୍ଟି କରିବା ପରିବର୍ତ୍ତେ ଇତିହାସକୁ ଲିଭାଇବାକୁ ଅପଚେଷ୍ଟା କରୁଛନ୍ତି । ଯେଉଁ ସରକାର ନିଜ କାର୍ଯ୍ୟଦକ୍ଷତା ଓ ସଫଳତାକୁ ଲୋକଙ୍କ ସାମ୍ନାରେ ରଖିବା ପରିବର୍ତ୍ତେ ପୂର୍ବତନ ସରକାରଙ୍କ କାର୍ଯ୍ୟର ଚିହ୍ନଗୁଡ଼ିକୁ ଲିଭାଇବାରେ ବ୍ୟସ୍ତ ରହେ, ସେ ପ୍ରକୃତରେ ନିଜ ବିଫଳତାକୁ ସ୍ୱୀକାର କରୁଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହା ସ୍ପଷ୍ଟ କରୁଛି ଯେ ବର୍ତ୍ତମାନ ସରକାର ପୂର୍ବତନ ସରକାରଙ୍କ ଉତ୍ତରାଧିକାର ସହ ପ୍ରତିସ୍ପର୍ଦ୍ଧା କରିବାରେ ଅସମର୍ଥ । ମିଶନ ଶକ୍ତି କୌଣସି ଦଳୀୟ ପ୍ରକଳ୍ପ ନୁହେଁ; ଏହା ଓଡ଼ିଶାର ଲକ୍ଷ ଲକ୍ଷ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷେତ୍ରସ୍ତରୀୟ କର୍ମୀଙ୍କ ଦୀର୍ଘ ବର୍ଷର ପରିଶ୍ରମ ଏବଂ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଢ଼ିଉଠିଥିବା ଏକ ଜନ ଆନେ୍ଦାଳନ । ଏହି ଇତିହାସକୁ ଲିଭାଇବାର ଅର୍ଥ ହେଉଛି ଓଡ଼ିଶାର ମହିଳାମାନଙ୍କ ଅବଦାନକୁ ଅସ୍ୱୀକାର କରିବା । କୌଣସି ୱେବ୍ସାଇଟ୍ର ସମ୍ପାଦନା ଏହି ଐତିହାସିକ ଉତ୍ତରାଧିକାରକୁ ଲିଭାଇ ପାରିବ ନାହିଁ । ବିଜେପି ସରକାର ବୋଧହୁଏ ଭାବୁଛନ୍ତି ଯେ, ଫଟୋ ହଟାଇଦେଲେ ଲୋକଙ୍କ ସ୍ମୃତି ମଧ୍ୟ ଲିଭିଯିବ । କିନ୍ତୁ ଓଡ଼ିଶାର ମହିଳାମାନେ ଭଲ ଭାବେ ଜାଣିଛନ୍ତି କିଏ ସେମାନଙ୍କୁ ସଶକ୍ତ କରିଥିଲେ, କିଏ ମିଶନ ଶକ୍ତିକୁ ଏକ ଜନ ଆନେ୍ଦାଳନରେ ପରିଣତ କରିଥିଲେ । ମିଶନ ଶକ୍ତି ଲକ୍ଷ ଲକ୍ଷ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ୱନ, ସମ୍ମାନ ଓ ସାମାଜିକ ସଶକ୍ତିକରଣର ପଥ ଦେଖାଇଛି । ଏହି ସଫଳତା ଓଡ଼ିଶାର ଇତିହାସରେ ଚିରସ୍ଥାୟୀ ହୋଇ ରହିବ ।
ପ୍ରତ୍ୟେକ ନିର୍ବାଚିତ ସରକାର ଏକ ସାମ୍ୱିଧାନିକ ସଂସ୍ଥା । ତାହାର କାର୍ଯ୍ୟ ରାଜ୍ୟର ସଂସ୍ଥାଗତ ଇତିହାସର ଅଂଶ ହୋଇଯାଏ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ବୈଧ ଭାବେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ମିଶନ ଶକ୍ତି ତାଙ୍କ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ଓଡ଼ିଶାର ଇତିହାସ ବର୍ତ୍ତମାନ ସରକାର କ୍ଷମତାକୁ ଆସିବା ପରେ ଆରମ୍ଭ ହୋଇନାହିଁ । ସେମାନେ କହିଥିଲେ, ସରକାର ବଦଳିପାରେ, କିନ୍ତୁ ଶାସନର ଧାରା ଅବିରତ ରହେ । ସରକାରୀ ବିଭାଗ ଓ ପ୍ଲାଟଫର୍ମ ଗୁଡ଼ିକ କୌଣସି ରାଜନୈତିକ ଦଳର ସମ୍ପତ୍ତି ନୁହେଁ; ସେଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ସମ୍ପତ୍ତି । ସେଗୁଡ଼ିକର ଉଦେ୍ଦଶ୍ୟ ହେଉଛି ସଂସ୍ଥାଗତ ଇତିହାସକୁ ସଂରକ୍ଷଣ କରିବା, ଦଳୀୟ ପ୍ରଚାରର ମାଧ୍ୟମ ହେବା ନୁହେଁ । ବର୍ତ୍ତମାନ ସରକାରଙ୍କର ଯଦି ନିଜ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ ଅଛି, ତେବେ ସେମାନେ ନିଜ ସଫଳତାକୁ ଲୋକଙ୍କ ସାମ୍ନାରେ ରଖନ୍ତୁ, ଅନ୍ୟମାନଙ୍କ ସଫଳତାକୁ ଲିଭାଇବାର ବୃଥା ଚେଷ୍ଟା କରନ୍ତୁ ନାହିଁ । ଆଜି ରାଜ୍ୟ ସରକାରଙ୍କର ମିଶନ ଶକ୍ତିର ଇତିହାସକୁ ଲିଭାଇବାର ଏହି ପ୍ରୟାସ ଏକ ବଡ଼ ପ୍ରଶ୍ନ ଉଠାଉଛି, ସେମାନେ ଏତେ ଭୟଭୀତ କାହିଁକି? ଯଦି ଆଜି ମଧ୍ୟ ଏକ ଉତ୍ତରାଧିକାର ଲୋକଙ୍କୁ ପ୍ରେରଣା ଦେଉଛି, ତେବେ ତାହାର ଫଟୋ ହଟାଇବା କେବଳ ଏହା ପ୍ରମାଣ କରେ ଯେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାର ଆଜି ମଧ୍ୟ ଶକ୍ତିଶାଳୀ, ପ୍ରାସଙ୍ଗିକ ଏବଂ ଜନମନରେ ଅମର ।
