ଉମରକୋଟ(ସତ୍ୟପାଠ ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକକୁ ଘୋଷାଡି ନେବାରୁ ବାପା ସହ ୨ ପୁଅଙ୍କ ମୃତ୍ୟୁ ଘଟିଛି। ମା’ ଏବଂ ଆଉ ଜଣେ ୧୦ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଛତିଶଗଡ଼ ଅନ୍ତର୍ଗତ କର୍ତ୍ତାଭରି ଗ୍ରାମର ବାବୁଲାଲ ଗଣ୍ଡ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। କ୍ଷତିପୂରଣ ଦାବିରେ ସମ୍ପର୍କୀୟ ଏବଂ ଅଂଚଳବାସୀ ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତିl ଗୋଟିଏ ବାଇକରେ ପରିବାରର ମା’, ବାପା ଏବଂ ତିନି ପୁଅ ଯାଉଥିଲେ। ରାଇଘରରୁ କୁନ୍ଦେଇ ଯାଉଥିବାବେଳେ ଏକ ଟ୍ରକ୍ ଦେଓଭରଣ୍ଡୀଠାରେ ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ବାବୁଲାଲ ଗଣ୍ଡ ଓ ୨ ପୁଅଙ୍କ ମୃତ୍ୟୁ ଘଟିଥିଲା। ହେଲେ ମା’ ଏବଂ ଅନ୍ୟ ଜଣେ ୧୦ ବର୍ଷର ପୁଅ ଗୁରୁତର ହୋଇଛନ୍ତି। ଆହତ ମା’ ପୁଅଙ୍କୁ ପ୍ରଥମେ ହାଟଭରଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିବା ବେଳେ ପରେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭରକୁ ପୋଲିସ ଥାନାରେ ଅଟକ ରଖିଛି।
