କଳାହାଣ୍ଡି(ସତ୍ୟପାଠ ବ୍ୟୁରୋ ): ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୭ କିଲୋମିଟର ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ। ଆଉ ମେଡିକାଲ ଯିବା ପୂର୍ବରୁ ଅଧା ରାସ୍ତାରେ ହିଁ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା। ପୁଣି କଳାହାଣ୍ଡିରୁ ଆସିଛି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଆମ୍ବୁଲାନ୍ସକୁ କଲ୍୍ ଉପରେ କଲ୍୍ କରାଯାଉଥିଲା, ହେଲେ ରାସ୍ତା ସୁବିଧା ନଥିବାରୁ ଅଧାବାଟରେ ଅଟକି ରହିଥିଲା। ଆମ୍ବୁଲାନ୍ସ ଯାଏଁ ଗର୍ଭବତୀଙ୍କୁ ଏକ ଟ୍ରାକ୍ଟର ସହାୟତାରେ ଅଣାଯାଇଥିଲା। ଅତ୍ୟଧିକ ବିଳମ୍ବ ହୋଇଯିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା। ଆଉ ଟ୍ରାକ୍ଟରରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର – କଳାହାଣ୍ଡି ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଦାବିରିଘାଟି ଗାଁରେ। ଗାଁର ଡୋମୁ ମାଝୀଙ୍କ ସ୍ତ୍ରୀ ଉର୍ମିଳା ମାଝୀ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ନପାରି ଚଚରାଗୁଡା ଗାଁରେ ଅଟକି ଯାଇଥିଲା । ଫଳରେ ପରିବାର ଲୋକେ ଏବଂ ଗ୍ରାମବାସୀ ଗର୍ଭବତୀଙ୍କୁ ଏକ ଟ୍ରାକ୍ଟର ଯୋଗେ ୭ କିମି ଦୂର ଚଚରାଗୁଡା ଗାଁକୁ ଆଣିଥିଲେ। ଆଣୁଥିବା ସମୟରେ ହିଁ ଟ୍ରାକ୍ଟରରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ପରିବାର ଲୋକ କହିଛନ୍ତି। ପରେ ଆମ୍ବୁଲାନ୍ସ ଯୋଗେ ପ୍ରସୂତି ଓ କନ୍ୟାକୁ ପ୍ରଥମେ ମୈଦଲପୁର ମେଡିକାଲ ଆଣିଥିଲେ। ପ୍ରସୂତୀଙ୍କ ରକ୍ତର ଅଭାବ ଓ ମ୍ୟାଲେରିଆ ଥିବା ହେତୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ଉଭୟ ମା ଏବଂ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ସୁସ୍ଥ ଥିବା ମେଡିକାଲ ତରଫରୁ ସୂଚନା ମିଳିଛି। ବଡ଼ କଥା ହେଉଛି, ସୀମାନ୍ତ ଗାଁ ହୋଇଥିବାରୁ ଗ୍ରାମବାସୀ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ମୈଦଲପୁର ଉପରେ ଭରସା କରନ୍ତି। ଜୟପାଟଣା ଯିବାକୁ ହେଲେ ୨୫ କିମି ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡୁଥିବାବେଳେ ମୈଦଲପୁର ମାତ୍ର ୧୫ କିମି ଦୂର। ତାହା ପୁଣି ରାସ୍ତା ଅତି ଶୋଚନୀୟ ଭାବେ ରହିଥିବା ହେତୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ । ଦୁର୍ଗମ ଅଞ୍ଚଳକୁ ରାସ୍ତା ସମସ୍ୟା ଥିବାବେଳେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଅନେକ ସମୟରେ ରାସ୍ତାରେ କିମ୍ବା ସଠିକ୍ ସମୟରେ ଡାକ୍ତରଖାନା ନପହଞ୍ଚି ମହିଳା ଓ ନବଜାତକଙ୍କ ଜୀବନ ମଧ୍ୟ ଚାଲିଯାଏ । ଏହା ସରକାରୀ ସ୍ୱାସ୍ଥ୍ୟସେବା ଏବଂ ଗ୍ରାମ୍ୟ ଭିତ୍ତିଭୂମିର ଅଭାବକୁ ଦର୍ଶାଏ ।
