ପୁରୀ(ସତ୍ୟପାଠ ବ୍ୟୁରୋ ): ଶ୍ରୀଜିଉଙ୍କ ଅଣସର ସମୟ ସମ୍ପୂର୍ଣ୍ଣ ହୋଇଛି। ସ୍ନାନଯାତ୍ରା ପରେ ରତ୍ନବେଦୀରେ ଗୁପ୍ତ ସେବାରେ ଥିବା ଶ୍ରୀଜିଉମାନେ ଏବେ ସୁସ୍ଥ ହୋଇଛନ୍ତି। ଏହାପରେ ମଙ୍ଗଳବାର(ଜୁଲାଇ ୧୪) ଅପରାହ୍ଣ ୨ ଟାରୁ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଆରମ୍ଭ ହେବ। ନୀତିକାନ୍ତିର ବହୁଳତା ଯୋଗୁ ଚଳିତ ବର୍ଷ କମ୍ ସମୟ ପାଇଁ ଏହି ଦର୍ଶନର ବ୍ୟବସ୍ଥା କରାଯାଇଛି।
ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାବାହୁ। ଶେଷ ଦିନରେ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ କରିଛନ୍ତି ଭକ୍ତ। ଏହି ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଭୋରୁଠାରୁ ହିଁ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଛନ୍ତି। ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଧାଡ଼ିରେ ଯାଇ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନର ବିଶେଷ ମହତ୍ତ୍ୱ ରହିଥାଏ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଏହି ପବିତ୍ର ଦର୍ଶନର ସୁଯୋଗ ନେଉଛନ୍ତି । ଭିଡ଼କୁ ନଜରରେ ରଖି ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
