ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ) : ଆନ୍ଧ୍ରରେ କରୋନା ଆତଙ୍କ। ଓଡ଼ିଶାରେ ହାଇଆଲର୍ଟ। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତତ୍ପରତା ପ୍ରକାଶ ପାଇଛି। ଆଗକୁ ରଥଯାତ୍ରା ଥିବାରୁ ସଂକ୍ରମଣ ଯେପରି ନ ବ୍ୟାପେ, ସେଥିପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ବଡ଼ ବୈଠକ ଡାକିଛନ୍ତି। ଲୋକସେବା ଭବନରେ ଦିନ ୧୧ଟା ବେଳେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏହି ମିଟିଂରେ ସ୍ୱାସ୍ଥ୍ୟ ସଚିବ, ଜନ ସ୍ଵାସ୍ଥ୍ୟ ନିର୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି। ଆଗକୁ ରଥଯାତ୍ରା ଥିବାରୁ କଣ ସତର୍କତା ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା ହେବ। ସେପଟେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଏକ ଜରୁରୀକାଳୀନ ଗାଇଡଲାଇନ୍ ଜାରି କରାଯାଇଛି। ସିଟି ହସ୍ପିଟାଲ ସମେତ ସମସ୍ତ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଓ ସର୍ଭେଲାନ୍ସକୁ ବଢ଼ାଇ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୋମବାର ଜିଲ୍ଲା ମେଡିକାଲ୍ ଅଫିସର୍ ତଥା ସିଟି ହସ୍ପିଟାଲ୍ ଅଧୀକ୍ଷକ, ଉପଖଣ୍ଡ ହସ୍ପିଟାଲ ଅଧୀକ୍ଷକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କୋଭିଡ୍-୧୯ର ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କହିଛନ୍ତି। ହସ୍ପିଟାଲ୍କୁ ଆସୁଥିବା ଗୁରୁତର ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ରୋଗୀଙ୍କର ବାଧ୍ୟତାମୂଳକ କୋଭିଡ୍ ପରୀକ୍ଷା କରାଯିବ।
