ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଭାତ ବିଶ୍ଵାଳଙ୍କୁ ‘ଗଦ୍ଦାର’ କହିଲେ ନବୀନ। ଜେଲ୍ ଯାଇଥିଲେ ବି ପୁଅକୁ ଟିକେଟ ଦେଇଥିଲି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗଦେବା ପରେ ଏବେ ରାଜନୀତି ତେଜିଛି । ନବୀନ ନିବାସଠାରେ ଆୟୋଜିତ କଟକ-ଚୌଦ୍ଵାର ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ ଚୌଦ୍ଵାର ପୌରପାଳିକାର କାଉନସିଲରମାନଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ନବୀନ, ପ୍ରଭାତଙ୍କୁ ସିଧାସଳଖ ‘ଗଦ୍ଦାର’ ବୋଲି ଆଖ୍ୟା ଦେଇଛନ୍ତି।
ବୈଠକରେ ଯୋଗ ଦେଇଥିବା ଦଳୀୟ କର୍ମୀ ଓ ନେତାମାନଙ୍କ ସହ ଆଲୋଚନା ବେଳେ ନବୀନ କହିଛନ୍ତି ଯେ, ଯେଉଁମାନେ ବିପଦ ସମୟରେ ବି ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରି ରହିଛନ୍ତି, ସେମାନଙ୍କ ପାଇଁ ସେ ଗର୍ବିତ। ଏହି ଅବସରରେ ବିଜୁ ବାବୁଙ୍କର ଚୌଦ୍ଵାର ପ୍ରତି ଥିବା ଅବଦାନକୁ ମନେ ପକାଇ ଆଗାମୀ ନିର୍ବାଚନ ପାଇଁ କଠିନ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଭାତ ବିଶ୍ଵାଳଙ୍କ ଉପରେ କ୍ଷୋଭ ପ୍ରକାଶ କରି ନବୀନ କହିଛନ୍ତି, ସେ ଦଳ ସହ ବିଶ୍ଵାସଘାତକତା କରିଛି।
ସେ ଜେଲ୍ ଯାଇଥିଲେ ମଧ୍ୟ ମୁଁ ତାଙ୍କ ପୁଅକୁ ଦୁଇ ଦୁଇ ଥର ବିଧାୟକ ଟିକେଟ୍ ଦେଇଥିଲି। ଏହା ସହ ଆଗାମୀ ନିର୍ବାଚନରେ ସଫଳତା ପାଇଁ ସମସ୍ତ କର୍ମୀଙ୍କୁ ଏକଜୁଟ ହୋଇ କାମ କରିବାକୁ ବିଜେଡି ସୁପ୍ରିମୋ ଆହ୍ଵାନ ଦେଇଛନ୍ତି। କଟକ ଆଞ୍ଚଳିକ ରାଜନୀତିରେ ବିଜେଡି ନିଜର ସଂଗଠନକୁ ଅଧିକ ମଜବୁତ କରୁଥିବା ବେଳେ ନବୀନଙ୍କ ଏହି ବୟାନ ଏବେ ସ୍ଥାନୀୟ ରାଜନୀତିକୁ ବେଶ୍ ସରଗରମ କରିଦେଇଛି।
