ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିନା ବହିରେ ନୂଆ ଶିକ୍ଷାବର୍ଷ । ଉଭୟ ରାଜ୍ୟ ସରକାର ଓ ଏନ୍ସିଇଆରଟି ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇବାରେ ବିଫଳ । ତେବେ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ଏପର୍ଯ୍ୟନ୍ତ ସମ୍ଭବପର ହୋଇ ପାରିନାହିଁ। ବଜାରରେ ବିକ୍ରି ହେଉଥିବା ବହି ମଧ୍ୟ ମିଳୁନି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଏନ୍ସିଇଆରଟି ଠିକ୍ ସମୟରେ ପାଠ୍ୟପୁସ୍ତକ ବଜାରକୁ ଛାଡ଼ି ପାରିନାହିଁ। କଷ୍ଟେମଷ୍ଟେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ପାଠ୍ୟପୁସ୍ତକ ଉପଲବ୍ଧ କରାଯାଇଛି। ତେବେ ୯ମ ଶ୍ରେଣୀ ସିଲାବସ୍ ପରିବର୍ତ୍ତନ ହୋଇଥିବାରୁ ତାହା ଏବେ ସମସ୍ୟା ସୃଷ୍ଟି କରିଛି। ନୂତନ ସିଲାବସ୍ ଅନୁଯାୟୀ ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତ ସରି ନ ଥିବାରୁ ଛପା ଯାଇପାରି ନାହିଁ।ବଜାରକୁ ଆସିବାକୁ ଆହୁରି କେତେ ସମୟ ଲାଗିବ ତାହା କେହି କହିପାରୁ ନାହାନ୍ତି। ଏହାଦ୍ବାରା ପିଲାମାନେ ବହୁ ପରିମାଣରେ ହଇରାଣ ହେଉଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପିଲାଙ୍କୁ କେଉଁଭଳି ପଢ଼ାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
ସେପଟେ କେବଳ ସିବିଏସ୍ଇ ଛାତ୍ରଛାତ୍ରୀ ନୁହନ୍ତି, ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଖରେ ମଧ୍ୟ ବହି ପହଞ୍ଚି ପାରିନାହିଁ। ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବାର ନିୟମ ରହିଛି। ହେଲେ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ ପରି ଭୁବନେଶ୍ବର ନିକଟବର୍ତ୍ତୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଇ ନାହିଁ।





