ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇପାରିନାହିଁ। ମାମଲାଟି ଆଜିର କଜ୍ ଲିଷ୍ଟରେ ସ୍ଥାନ ପାଇନଥିବାରୁ ଶୁଣାଣି ଟଳିଯାଇଛି। ତେବେ ଆବେଦନକାରୀଙ୍କ ପକ୍ଷରୁ ଆସନ୍ତା ୧୮ ତାରିଖରେ ମାମଲାଟିକୁ ଜରୁରୀ ଶୁଣାଣି ପାଇଁ ମେନସନ୍ କରାଯିବାର ସମ୍ଭାବନା ରହିଛି।
ଏପଟେ ଡିଜିପି ଚୟନ ପ୍ରକ୍ରିୟାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆସିଛି। ଆସନ୍ତାକାଲି ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିସନ୍ (ୟୁପିଏସସି)ର ବୈଠକ ବସିବାକୁ ଥିବାବେଳେ ଓଡ଼ିଶା ସରକାର ପଠାଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ଉପରେ ବିଚାରବିମର୍ଶ ହେବ। ନିୟମ ଅନୁଯାୟୀ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ୩ ଜଣଙ୍କ ନାମ ନେଇ ପ୍ୟାନେଲ୍ ପ୍ରସ୍ତୁତ ହେବ। ପରେ ସେହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ଡିଜିପି ଭାବେ ନିଯୁକ୍ତ କରିବେ।
କେଉଁଠି ଅଟକିଛି ବିବାଦ?
ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂ ମାମଲା’ରେ ଦିଆଯାଇଥିବା ନିର୍ଦ୍ଦେଶକୁ ଏଡ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମାମଲାରେ ପକ୍ଷ ରଖୁଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପୁଲିସର ମୁଖ୍ୟ ଭାବେ ନିଯୁକ୍ତି ପାଇଁ ଯୋଗ୍ୟ ଅଧିକାରୀଙ୍କ ନାମ ବିଚାର କରି ୟୁପିଏସସି ପକ୍ଷରୁ ୩ ଜଣଙ୍କ ଏକ ପ୍ୟାନେଲ୍ ପ୍ରସ୍ତୁତ କରାଯାଏ। ଏହି ଚୟନରେ ଅଧିକାରୀଙ୍କ ବରିଷ୍ଠତା, ସେବା ରେକର୍ଡ ଓ ଅଭିଜ୍ଞତା ଭଳି ବିଭିନ୍ନ ମାପଦଣ୍ଡକୁ ବିଚାରକୁ ନିଆଯାଏ।
ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ ଅଭିଯୋଗ
ପିଟିସନ୍ରେ ଅଭିଯୋଗ ହୋଇଛି ଯେ ଡିଜିପି ଚୟନ ପାଇଁ ପ୍ରସ୍ତୁତ ତାଲିକାରେ ନିୟମ ଅନୁଯାୟୀ ଯୋଗ୍ୟ ନଥିବା କିଛି ଅଧିକାରୀଙ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ‘ପ୍ରକାଶ ସିଂ’ ରାୟରେ ସର୍ବୋଚ୍ଚ ଅଦାଲତ ଧାର୍ଯ୍ୟ କରିଥିବା ଚୟନ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ଦର୍ଶାଯାଇଛି।
ପଦୋନ୍ନତି ପରେ ବଢ଼ିଲା ଡିଜିପି ରେସ୍
୧୯୯୦ ବ୍ୟାଚ୍ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ର ଆର୍.ପି. କୋଚେଙ୍କ ସହ ୧୯୯୪ ବ୍ୟାଚ୍ର ସଞ୍ଜୀବ ପଣ୍ଡା ଓ ଯଶବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିବା ପରେ ଡିଜିପି ପଦ ପାଇଁ ପ୍ରତିଯୋଗିତା ଆହୁରି ଚର୍ଚ୍ଚାକୁ ଆସିଛି। କେଉଁ ଅଧିକାରୀଙ୍କ ନାମ ୟୁପିଏସସିର ଚୂଡ଼ାନ୍ତ ୩ ଜଣିଆ ପ୍ୟାନେଲ୍ରେ ସ୍ଥାନ ପାଇବ, ତାହା ଉପରେ ଏବେ ନଜର ରହିଛି।
୧୧ ଜଣିଆ ତାଲିକା ପ୍ରତ୍ୟାହାରକୁ ନେଇ ପ୍ରଶ୍ନ
ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସସିକୁ ପଠାଯାଇଥିବା ୧୧ ଜଣିଆ ତାଲିକାକୁ ପରେ ପ୍ରତ୍ୟାହାର କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଗଷ୍ଟ ୭ରେ ୟୁପିଏସସି ବୈଠକ ହୋଇଥିଲେ ମଧ୍ୟ ଏହା ଅପୂର୍ଣ୍ଣ ରହିଥିବା ଏବଂ ଏହାପରେ ପୂର୍ବ ପ୍ୟାନେଲ୍ ପ୍ରତ୍ୟାହାର ହୋଇଥିବା ଦାବି କରାଯାଇଛି।
ଏହି ପରିସ୍ଥିତିରେ ଆସନ୍ତାକାଲିର ୟୁପିଏସସି ବୈଠକ ଡିଜିପି ଚୟନ ପ୍ରକ୍ରିୟା ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂ’ ନିର୍ଦ୍ଦେଶ ଓ ନିର୍ଦ୍ଧାରିତ ମାପଦଣ୍ଡକୁ ଅନୁସରଣ କରି ୟୁପିଏସସି କିପରି ପ୍ୟାନେଲ୍ ପ୍ରସ୍ତୁତ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଟଳିଯାଇଥିବା ବେଳେ ୟୁପିଏସସି ବୈଠକ ପ୍ରଥମେ ହେବାକୁ ଥିବାରୁ ଡିଜିପି ଚୟନ ପ୍ରକ୍ରିୟା ଆଇନଗତ ଓ ପ୍ରଶାସନିକ ଭାବେ ଏକ ନୂଆ ମୋଡ଼ ନେବା ସମ୍ଭାବନା ରହିଛି।
