ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ଓଡ଼ିଶାକୁ ଖୁବଶୀଘ୍ର ମିଳିବ ନୂଆ ପୁଲିସ ଡିଜି। ଏ ନେଇ ଚୟନ ଚାଲିଥିବାବେଳେ ନେଇ ଉତ୍କଣ୍ଠା ବଢ଼ିଛି । ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବିବାଦ ଓ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ମଧ୍ୟରେ ଆସନ୍ତାକାଲି  ୟୁପିଏସ୍‌ସି ଚୟନ କମିଟିର ବୈଠକ ବସିବ । ରାଜ୍ୟ ସରକାର ପଠାଇଥିବା ତାଲିକାରୁ ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ଚୂଡ଼ାନ୍ତ କରାଯାଇ ସରକାରଙ୍କୁ ପଠାଯିବ ।

ଚର୍ଚ୍ଚାରେ ଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ସୁଧାଂଶୁ ଷଡ଼ଙ୍ଗୀ, ଆର୍‌.ପି. କୋଚେ ଓ ସଞ୍ଜୀବ ପଣ୍ଡାଙ୍କ ନାଁ ରହିଛି । ୟୁପିଏସ୍‌ସିର ୩ ଜଣିଆ ପ୍ୟାନେଲ ଆସିବା ପରେ ରାଜ୍ୟ ସରକାର ସେଥିରୁ ଜଣଙ୍କୁ ନୂଆ ଡିଜିପି ଭାବେ ଚୟନ କରିବେ । ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ଶେଷ ହେଉଛି ।

ଅନ୍ୟପଟେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଦାୟର ପିଆଇଏଲ୍‌ ମାମଲା ମଧ୍ୟ ଚର୍ଚ୍ଚାରେ ରହିଛି । ରାଜ୍ୟ ସରକାରଙ୍କ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରାଯାଇଥିବା ନେଇ ଅଭିଯୋଗ ଉଠିଛି । ଏହି ମାମଲାରେ ୟୁପିଏସ୍‌ସିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବାକୁ ଆଶା କରାଯାଇଛି । ତେବେ ଏସବୁ ଭିତରେ କାହା ମୁଣ୍ଡରେ ପଡ଼ିବ ଓଡ଼ିଶା ପୁଲିସ ଡିଜିପି ମୁକୁଟ, ତା’ଉପରେ ଏବେ ସମସ୍ତଙ୍କ ନଜର। ବିଶେଷକରି ସଞ୍ଜୀବ ପଣ୍ଡାଙ୍କ ନାଁକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ୟୁପିଏସ୍‌ସି ପ୍ୟାନେଲ ଓ ପରବର୍ତ୍ତୀ ସରକାରୀ ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ ।