ଭୁବନେଶ୍ୱର :13/08/2026: ବିଦ୍ୟୁତ୍ ଆଘାତ (Electrocution) ଯୋଗୁଁ ହେଉଥିବା ମୃତ୍ୟୁ କିମ୍ବା ଆହାତ ମାମଲାରେ ବିଦ୍ୟୁତ୍ ପ୍ରାଧିକରଣଗୁଡ଼ିକୁ ‘ଷ୍ଟ୍ରିକ୍ଟ ଲାଏବିଲିଟି’ (Strict Liability) ଅଧୀନରେ ଦାୟୀ କରାଯାଇପାରିବ, କିନ୍ତୁ ଏହାକୁ ବିନା କୌଣସି ବ୍ୟତିକ୍ରମର ‘ଆବସୋଲ୍ୟୁଟ୍ ଲାଏବିଲିଟି’ (Absolute Liability) ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
​ଏହି ସହିତ କର୍ଣ୍ଣାଟକ ହାଇକୋର୍ଟଙ୍କ ସିଙ୍ଗଲ୍ ଓ ଡିଭିଜନ୍ ବେଞ୍ଚଙ୍କ ସେହି ଆଦେଶକୁ ସୁପ୍ରିମ୍ କୋର୍ଟ ରଦ୍ଦ କରିଛନ୍ତି, ଯେଉଁଥିରେ ‘କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ୍ କୋର୍ପୋରେସନ୍’ ଉପରେ ସମ୍ପୂର୍ଣ୍ଣ/ଆବସୋଲ୍ୟୁଟ୍ ଦାୟିତ୍ୱ ଆରୋପ କରାଯାଇଥିଲା। ବିଦ୍ୟୁତ୍ ପରିବହନ ଏକ ବିପଜ୍ଜନକ କାର୍ଯ୍ୟ ହୋଇଥିବାରୁ ଏହା ସହ ଜଡ଼ିତ ସଂସ୍ଥାଗୁଡ଼ିକ କ୍ଷତିପୂରଣ ଦେବାକୁ ବାଧ୍ୟ, କିନ୍ତୁ ଷ୍ଟ୍ରିକ୍ଟ ଲାଏବିଲିଟିର ନିୟମାବଳୀ ଅନୁଯାୟୀ ଏହାର କିଛି ବ୍ୟତିକ୍ରମ (Exceptions) ରହିଛି। ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟୁତ୍ ବୋର୍ଡକୁ ସମ୍ପୂର୍ଣ୍ଣ ଦାୟୀ କରାଯାଇପାରିବ ନାହିଁ।

​ସୁପ୍ରିମକୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ:
​ରିଟ୍ ପିଟିସନ୍‌ର ଗ୍ରହଣଯୋଗ୍ୟତା: ଯେଉଁ ମାମଲାରେ ତଥ୍ୟଗତ ବିବାଦ (Disputed questions of facts) ରହିଛି, ସେଠାରେ କ୍ଷତିପୂରଣ ପାଇଁ ହାଇକୋର୍ଟରେ ଦାଖଲ ହୋଇଥିବା ରିଟ୍ ପିଟିସନ୍ ଗ୍ରହଣଯୋଗ୍ୟ ନୁହେଁ।
​ମୋଟର ଯାନ ଆଇନ୍‌ର ପ୍ରୟୋଗ ଅନୁଚିତ୍: ବିଦ୍ୟୁତ୍ ଆଘାତ ମାମଲାରେ କ୍ଷତିପୂରଣ ରାଶି ଆକଳନ ପାଇଁ ମୋଟର ଯାନ ଆଇନ୍, ୧୯୮୮ର ‘ମଲ୍ଟିପ୍ଲାୟର୍ ମେଥଡ୍’ (Multiplier Method) ଲାଗୁ କରାଯାଇପାରିବ ନାହିଁ। ବିଦ୍ୟୁତ୍ ଆଇନ୍, ୨୦୦୩ରେ କ୍ଷତିପୂରଣ ଗଣନା ପାଇଁ ଏହିପରି କୌଣସି ପଦ୍ଧତିର ଉଲ୍ଲେଖ ନାହିଁ।
​କର୍ଣ୍ଣାଟକରେ ଘଟିଥିବା ଦୁଇଟି ବିଦ୍ୟୁତ୍ ଆଘାତ ଘଟଣାକୁ ନେଇ କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ୍ କୋର୍ପୋରେସନ୍ ଦ୍ୱାରା ଦାୟର ଆବେଦନକୁ ଗ୍ରହଣ କରି ସୁପ୍ରିମ୍ କୋର୍ଟ ଏହି ଆଦେଶ ଦେଇଛନ୍ତି। ଏଥିସହ ଆବେଦନକାରୀଙ୍କୁ ସମ୍ପୃକ୍ତ ଫୋରମ୍‌ରେ ବିକଳ୍ପ ଆଇନଗତ ପନ୍ଥା ଆପଣାଇବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।