ରାଉରକେଲା, (ସତ୍ୟପାଠବ୍ୟୁରୋ): ପ୍ରଥମେ ପ୍ରେମ, ପରେ ପ୍ରତାରଣା। ପ୍ରତାରଣାକୁ ସହ୍ୟ କରି ନ ପାରି ପ୍ରେମିକର ଘର ଆଗରେ ପ୍ରେମିକା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ନିଜ ଦେହରେ କିରୋସିନ ଢାଳି ଜୀବନ ହାରିବାକୁ ଚେଷ୍ଟା କରିଛି ସମ୍ପୃକ୍ତ ଯୁବତୀ। ୩ ବର୍ଷର ପ୍ରେମ ପରେ ମିଳିଛି ପ୍ରତାରଣା। ଏହି ଘଟଣା ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଭାଟ୍ଟାପଡ଼ା ବସ୍ତିରେ ଘଟିଛି। ପ୍ରେମିକର ପ୍ରତାରଣାକୁ ସହ୍ୟ କରି ନପାରି ନିଜ ଦେହରେ କିରୋସିନ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଯୁବତୀ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା କରାଯାଉଛି। ଏହି ଘଟଣା ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଭାଟ୍ଟାପଡ଼ା ବସ୍ତିରେ ଘଟିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଯୁବତୀ ଓ ଭିକି ଦାସଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଭିକିଙ୍କୁ ଟଙ୍କାର ଆବଶ୍ୟକତା ଥିବାରୁ ଯୁବତୀ ଧାର କରଜ କରି ଟଙ୍କା ଦେଇଥିବା ଜଣାପଡ଼ିଛି। ତେବେ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଫଳରେ ଯୁବତୀ ଜଣକ ଏପରି ପଦକ୍ଷେପ ନେଇଥିଲେ। ତେବେ ଏନେଇ ପୀଡ଼ିତାଙ୍କ ପରିବାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି l ଘଟଣାକୁ ନେଇ ଝିରପାଣି ପୋଲିସ ତଦନ୍ତ ଜୋରଦାର କରିଛି। ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବାବେଳେ, ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏହା କେବଳ ପ୍ରେମ ସମ୍ପର୍କଜନିତ ବିବାଦ ନା ଘଟଣା ପଛରେ ରହିଛି ତ୍ରିକୋଣୀୟ ପ୍ରେମର କାହାଣୀ- ସେନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ।
