କୁଚିଣ୍ଡା, (ସତ୍ୟପାଠବ୍ୟୁରୋ ): ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର କୁଚିଣ୍ଡାରେ ଭୟଙ୍କର ସ୍ଥିତି ଉପୁଜିଛି। ସାରା ରାତି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ହଠାତ୍ ପ୍ରବଳ ବେଗରେ ଝରଣା ପାଣି ତଳକୁ ଆସିଛି । ଫଳରେ କୁଚିଣ୍ଡା ଚକ୍ରଧର ଶିବ ମନ୍ଦିର ପରିସରରେ ପାଣି ପଶିବା ସହ ମନ୍ଦିରର ଅଧା ଅଂଶ ପାଣିରେ ବୁଡ଼ିଯାଇଛି। ହଠାତ୍ ପାଣିର ସ୍ରୋତ ବଢ଼ିଯିବାରୁ ମନ୍ଦିର ଭିତରେ ପୂଜକ ଓ ଅନ୍ୟ କର୍ମଚାରୀ ଫସି ରହିଥିଲେ। ଚାରିଆଡ଼େ ପାଣିର ପ୍ରବଳ ସ୍ରୋତ ରହିଥିବାରୁ ସେମାନଙ୍କୁ ବାହାରକୁ ଆଣିବା ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା। ବିଶେଷକରି ପାହାଡ଼ ଉପରୁ ବହି ଆସୁଥିବା ଝରଣା ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିବାରେ ଅନେକ ସମସ୍ୟା ଉପୁଜିଥିଲା । ତଥାପି ପରିସ୍ଥିତିକୁ ନଜରରେ ରଖି ଅଗ୍ନିଶମବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପ୍ରବଳ ବର୍ଷା ଓ ଜଳସ୍ରୋତ ଯୋଗୁଁ ମନ୍ଦିର ପରିସର ଜଳମଗ୍ନ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ିଛି ।