ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଦେଶରେ ମୌସୁମୀ ସକ୍ରିୟ ହେବାପରଠାରୁ ଉତ୍ତର ଭାରତରେ ପ୍ରକୃତି ତାଣ୍ଡବ ରଚୁଛି। ଏହାରି ମଧ୍ୟରେ ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗ୍ୟାଲସିଂ ଜିଲ୍ଲାର ୟୁକସମ୍ ସବ୍ ଡିଭିଜନ୍ ରିମ୍ବି ଓ ସିଙ୍ଗଲିତମ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି I ପାହାଡ଼ରୁ ମାଟି ଓ ପଥର ଲଗାତାର ତଳକୁ ଖସୁଥିବାରୁ ଜନବସତି ସହ ଚାଷଜମି ପ୍ରତି ବିପଦ ବଢ଼ିଛି I ଗତ ଶୁକ୍ରବାର ରାତିରୁ ଭୂସ୍ଖଳନ ଆରମ୍ଭ ହୋଇଥିବା ବେଳେ ଏହାପରେ ମଧ୍ୟ ପାହାଡ଼ ଓ ମାଟିର ଗତି ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ଅନ୍ୟପଟେ ରିମ୍ବିର ଉପର ଭାଗରେ ଥିବା ସିଙ୍ଗଲିତମ ଅଞ୍ଚଳରୁ ତଳକୁ ଭୂସ୍ଖଳନର ବିପଦ ରହିଛି I ପ୍ରଭାବିତ ଅଞ୍ଚଳ ମଧ୍ୟରେ ପ୍ରାୟ ୩୮ଟି ପରିବାର ରହୁଛନ୍ତି। ସେଥିମଧ୍ୟରୁ ରିମ୍ବିରେ ପ୍ରାୟ ୩୦ ଏବଂ ସିଙ୍ଗଲିତମରେ ୮ଟି ପରିବାର ରହିଛନ୍ତି। ମୋଟ ୧୫୦ରୁ ଅଧିକ ଲୋକଙ୍କ ପ୍ରତି ବିପଦ ରହିଥିବା ଆକଳନ କରାଯାଇଛି। ଭୂସ୍ଖଳନରେ ଏପର୍ଯ୍ୟନ୍ତ ୨ରୁ ୩ଟି ଘର ପ୍ରଭାବିତ ହୋଇସାରିଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପ୍ରାୟ ୧୫ଦିନ ଧରି ଅଞ୍ଚଳରେ ଭୂସ୍ଖଳନର ଗତିବିଧିକୁ ନେଇ ଭୟ ଲାଗିରହିଛି। ପାହାଡ଼ରୁ ମାଟି ଖସିବା ଜାରି ରହିଥିବାରୁ ଅନେକ ପରିବାର ରାତିରେ ମଧ୍ୟ ଭୟରେ ଶୋଇପାରୁ ନାହାନ୍ତି। ତେବେ ସ୍ଥିତିର ଗମ୍ଭୀରତାକୁ ଦେଖ୍ ସିକ୍କିମ ପ୍ରଶାସନ ପ୍ରଭାବିତ ଓ ବିପଦପୂର୍ଣ୍ଣ ଅଞ୍ଚଳର ପରିବାରଗୁଡ଼ିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟପଟେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିବାବେଳେ ଅସୁରକ୍ଷିତ ପରିବାରଗୁଡ଼ିକୁ ଚିହ୍ନଟ କରାଯାଉଛି। ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା ମଧ୍ୟ କରାଯାଉଛି।
