ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଝୁଲା ଅବସ୍ଥାରେ ରହିଛି ଓଡ଼ିଶାର ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟା। ଏହାରି ଉପରେ ସମସ୍ତଙ୍କ ନଜର ଥିବାବେଳେ ସୁପ୍ରିମକୋର୍ଟରେ ଏନେଇ କାଲି ଆସିପାରେ ଗୁରୁତ୍ବପୂର୍ଣ୍ଣ ରାୟ। ଓଡ଼ିଶାର ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟା ଏବେ ସୁପ୍ରିମକୋର୍ଟରେ ଅଟକି ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ UPSC କମିଟି ଡିଜିପି ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପରେ ହିଁ ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ । ଏହାପରେ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ସ୍ଥାୟୀ ଡିଜିପି ଭାବେ ନିଯୁକ୍ତି ଦେବେ । ସ୍ଥାୟୀ ଡିଜିପି ନିଯୁକ୍ତି ନେଇ ମାମଲା ସୁପ୍ରିମକୋର୍ଟରେ ରହିଥିବାରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଚୟନ ହୋଇପାରିନାହିଁ । ବାଧ୍ୟ ହୋଇ ରାଜ୍ୟ ସରକାର ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଦେଇଛନ୍ତି ।
ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । ଶୁଣାଣି ସମୟରେ ରାଜ୍ୟ ସରକାର ନିଜ ପକ୍ଷ ରଖିବେ । ଜନସ୍ୱାର୍ଥ ମାମଲା କରିଥିବା ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପି. ଚିଦାମ୍ବରମ ମଧ୍ୟ ନିଜ ପକ୍ଷ ରଖିବେ । ଆବଶ୍ୟକ ପଡ଼ିଲେ ମୂଳ ମାମଲାର ଆମିକସ୍ କ୍ୟୁରୀ ରାଜୁ ରାମଚନ୍ଦ୍ରନଙ୍କ ମତକୁ ମଧ୍ୟ ଖଣ୍ଡପୀଠ ବିଚାରକୁ ନେଇପାରନ୍ତି । ସମସ୍ତ ପକ୍ଷ ଶୁଣିବା ପରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେବେ, ସେହି ଅନୁସାରେ UPSC ଓ ଓଡ଼ିଶା ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ।
ଗତ ୧୩ ତାରିଖରେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀ ଓ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବା ପରେ ଖଣ୍ଡପୀଠ ଆମିକସ୍ କ୍ୟୁରୀଙ୍କ ମତ ମଧ୍ୟ ନେଇଥିଲେ । ଆମିକସ୍ କ୍ୟୁରୀ ରାଜୁ ରାମଚନ୍ଦ୍ରନ ଚୟନ ପ୍ରକ୍ରିୟାରେ ପ୍ରକାଶ ସିଂହ ରାୟର ଉଲ୍ଲଂଘନ ହୋଇଥିବା ଦର୍ଶାଇଥିଲେ । ତାଙ୍କ ମତକୁ ଆଧାର କରି ଡିଜିପି ଚୟନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାରଙ୍କୁ ଅଧିକ ତଥ୍ୟ ଦାଖଲ କରିବାକୁ କହିଥିଲେ ।
ଡିଜିପି ଚୟନ ବୈଠକ ପୂର୍ବରୁ ରାଜ୍ୟ ସରକାର ଏଡିଜି ଯଶୱନ୍ତ ଜେଠୱା ଓ ସଞ୍ଜୀବ ପଣ୍ଡାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ । ପରେ ସାନି ରିପୋର୍ଟରେ ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଓ ସଞ୍ଜୀବ ପଣ୍ଡାଙ୍କ ନାଁ ସାମିଲ ହୋଇଥିଲା । ଏହାକୁ ନେଇ ଆପତ୍ତି ଉଠାଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା ।
