ଓ୍ବାଶିଂଟନ(ସତ୍ୟପାଠବ୍ୟୁରୋ): ଧୀରେ ଧୀରେ କମୁଛି ଆମେରିକା ରାଷ୍ଟ୍ରପତିଙ୍କ ଲୋକପ୍ରିୟତା। ଏହାସହ ତାଙ୍କର ସମର୍ଥନ ମଧ୍ୟ ହ୍ରାସ ପାଇଛି। ଯାହାକୁ ନେଇ ଆମେରିକାର ରାଜନୀତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଚିନ୍ତା ବଢ଼ିଛି। ଏକ ନୂଆ ସର୍ଭେରେ ଟ୍ରମ୍ପଙ୍କ ଅନୁମୋଦନ ହାର ୩୩ ପ୍ରତିଶତକୁ ଖସିଥିବା ଦାବି କରାଯାଇଛି । ଅର୍ଥାତ୍, ତାଙ୍କ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଆମେରିକୀୟଙ୍କ ସଂଖ୍ୟାରେ ହ୍ରାସ ଦେଖାଯାଇଛି । ସର୍ଭେ ରିପୋର୍ଟ ଟ୍ରମ୍ପ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜର ସଙ୍କେତ ଦେଉଛି । ବିଭିନ୍ନ ନୀତି ଏବଂ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଏହି ଆକଳନରୁ ସାମ୍ନାକୁ ଆସିଛି ।
ବିଶେଷକରି ଅର୍ଥନୀତି, ବିଦେଶ ନୀତି, ପ୍ରଶାସନିକ ନିଷ୍ପତ୍ତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଟ୍ରମ୍ପଙ୍କ ନୀତି ଉପରେ ଆମେରିକୀୟଙ୍କ ମତ ବିଭାଜିତ ହୋଇଛି । ଏଭଳି ସ୍ଥିତିରେ ଅନୁମୋଦନ ହାର ୩୩ ପ୍ରତିଶତକୁ ଖସିବା ଟ୍ରମ୍ପଙ୍କ ପାଇଁ ରାଜନୈତିକ ଭାବେ ଚିନ୍ତା ବଢ଼ାଇପାରେ । ତେବେ ସର୍ଭେର ନମୁନା, ସମୟ ଏବଂ ପ୍ରଶ୍ନ ପଚାରିବାର ପଦ୍ଧତି ଅନୁସାରେ ଏଭଳି ରେଟିଂରେ ପରିବର୍ତ୍ତନ ହୋଇପାରେ । କିନ୍ତୁ ଟ୍ରମ୍ପଙ୍କ ଲୋକପ୍ରିୟତାକୁ ନେଇ ଏହି ଆକଳନ ଆମେରିକୀୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।
