ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଗତ ଜୁନ ମାସରେ ହୋଇଥିବା ୟୁଜିସି ନେଟ୍-୨୦୨୬ ପରୀକ୍ଷାରେ ବିଭିନ୍ନ ଅନିୟମିତତା ଓ ବିବାଦ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମେ ଶିକ୍ଷା ବିଭାଗ ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ରେ ବ୍ୟାପକ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଚ୍ଚଶିକ୍ଷା ବିଭାଗର ସଚିବ, ଏନଟିଏର ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରି ପରୀକ୍ଷା ବ୍ୟବସ୍ଥାରେ ହେଉଥିବା ପରିବର୍ତ୍ତନଗୁଡ଼ିକର ଅନୁଧ୍ୟାନ କରିଛନ୍ତି। ଏହାସହିତ ବିବାଦରେ ଘେରି ରହିଥିବା ଏନଟିଏରୁ ବର୍ତ୍ତମାନ ସୁଦ୍ଧା ମୋଟ ୫୦ ଜଣ ଅଧିକାରୀଙ୍କୁ ବାହାର କରାଯାଇଥିବା ଜଣାପଡ଼ିଛି। ଗତ ଜୁଲାଇ ୨୪ ତାରିଖରେ ଏଜେନ୍ସିର ୪୭ ଜଣ ଅଧିକାରୀଙ୍କୁ ହଟାଯାଇଥିବା ଗତକାଲି ଆଉ ୩ ଜଣ ଅଧିକାରୀଙ୍କୁ ବିଦା କରାଯାଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟାନୁଷ୍ଠାନ ଏଜେନ୍ସିର କାର୍ଯ୍ୟଦକ୍ଷତାକୁ ସ୍ୱଚ୍ଛ ରଖିବା ପାଇଁ ଗ୍ରହଣ କରାଯାଇଛି। ତେବେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏନଟିଏରୁ କର୍ମଚାରୀଙ୍କ ଛଟେଇ ସହିତ ଏଜେନ୍ସିରେ କାର୍ଯ୍ୟଦକ୍ଷତା ଓ ପାରଦର୍ଶୀତା ବୃଦ୍ଧି ପାଇଁ ୧୦ ଜଣ ନୂତନ ବୃତ୍ତିଗତଙ୍କୁ ପ୍ରମୁଖ ନେତୃତ୍ୱ ପଦବୀରେ ନିଯୁକ୍ତି ଦିଆଯିବ। ଏହି ପଦଗୁଡ଼ିକ ମଧ୍ୟରେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ, ମୁଖ୍ୟ ଆର୍ଥିକ ଅଧିକାରୀ, ମୁଖ୍ୟ ସୂଚନା ସୁରକ୍ଷା ଅଧିକାରୀ, ଜେନେରାଲ୍ ମ୍ୟାନେଜର-ଟେଷ୍ଟ ସିକ୍ୟୁରିଟି, ଜେନେରାଲ୍ ମ୍ୟାନେଜର- ଆର ଆଣ୍ଡ ଡି ଏବଂ ସାଇକୋମେଟ୍ରିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ସାମିଲ ରହିଛି। ଏନଟିଏ ବର୍ତ୍ତମାନ ସାଇବର ସୁରକ୍ଷା, ସାଇକୋମେଟ୍ରିକ୍ସ, ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା ସହ ଜଡ଼ିତ ଅନ୍ୟାନ୍ୟ ଜଟିଳ କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ଡୋମେନ୍ ବିଶେଷଜ୍ଞମାନଙ୍କୁ ମଧ୍ୟ ସାମିଲ କରୁଛି। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ଦୃଢ଼, ସ୍ୱଚ୍ଛ ଓ ସୁରକ୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଅନ୍ୟପଟେ ୟୁଜିସି-ନେଟ ଜୁନ୍ ୨୦୨୬ ପରୀକ୍ଷା ଜୁନ୍ ୨୨ ରୁ ୩୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ମୋଟ ୮୭ଟି ବିଷୟ ସାମିଲ ଥିଲା। ପରୀକ୍ଷା ପରେ, ପ୍ରାର୍ଥୀ ଏବଂ କୋଚିଂ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ପ୍ରଶ୍ନପତ୍ର ସମ୍ପର୍କରେ ଅନେକ ଅଭିଯୋଗ ଆସିଥିଲା। ଏହା ପରେ ଏହି ଘଟଣାର ତଦନ୍ତ ପାଇଁ ଏନଟିଏ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା। ତଦନ୍ତ ପରେ ତିନୋଟି ବିଷୟ ପାଇଁ ପୁନଃ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।