ରାୟଗଡ଼ା, (ସତ୍ୟପାଠବ୍ୟୁରୋ): ପ୍ରଥମେ ରେକି, ପରେ ଚୋରି। ପ୍ରଥମେ ଅଭିଯୁକ୍ତମାନେ ସାଧାରଣ ବେଶରେ ଯାଇ ନିଛାଟିଆ କିମ୍ବା ତାଲା ପଡ଼ିଥିବା ଘର, ଲୋକଙ୍କ ଗତିବିଧି, ସିସିଟିଭି ଓ ଗାଡ଼ି ସମ୍ପର୍କରେ ରେକି କରି ତଥ୍ୟ ସଂଗ୍ରହ କରୁଥିଲେ। ପରେ ପ୍ଲାନ ପ୍ରସ୍ତୁତ କରି ରାତି ଅଧାରେ କାର୍ଯ୍ୟକାରୀ କରନ୍ତି। ଘରୁ ସୁନା ଅଳଙ୍କାର େଚାରି କରି ଘଟଣାସ୍ଥଳରୁ ଚମ୍ପଟ ମାରନ୍ତି। ପରେ ସେହି ଚୋରି ସୁନାକୁ ତରଳାଇ ନୂଆ ଆକାରରେ ରୂପ ଦେଇ ବିଭିନ୍ନ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ୠଣ ଆକାରରେ ନେଇ ଅୟସ କରୁଥିଲେ। ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ରାୟଗଡ଼ା େପାଲିସ। ଏହି ଘଟଣାରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ େହଲେ ଦଶମନ୍ତ ନାୟକ (୨୭), ବିଷ୍ଣୁ ହରପାଲ (୨୯), ପ୍ରଶାନ୍ତ ଝୋଡ଼ିଆ (୩୦), ଦୈତାରୀ ନାୟକ (୩୦), ବିପିନ ନାୟକ (୩୦), ନରହରି ନାୟକ (୨୪), ବାବୁଲା ନାୟକ (୩୭), ବସନ୍ତରା କାର୍ତ୍ତିକ (୨୯), ଅଜୁ ଓରଫ ଦିଲ୍ଲୀପ ପଲାଇ (୩୯), ଶିବ ଶଙ୍କର ନାୟକ (୨୪), ବସନ୍ତ ବେନିଆ (୨୩) ଏବଂ ମଙ୍ଗୁଳୁ ନାଗ (୨୫)। ସେମାନଙ୍କ ଠାରୁ ୮୦ ଗ୍ରାମ ସୁନା, ୫୮୧ଗ୍ରାମ ରୂପା, ୧୨ ମୋବାଇଲ ଏବଂ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।
ଏ େନଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ ପ୍ରସାଦ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତମାନେ ରାୟଗଡ଼ର ବିଭିନ୍ନ ଘରୁ କଳାକନା ବୁଲାଉଥିବା େନଇ ଥାନାରେ ଅଭିଯୋଗ େହାଇଥିଲା। ଏହି ଅଭିଯୋଗ ଆଧାରରେ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଣ୍ଟେଲିଜେନ୍ସ, ସାଇବର ୟୁନିଟ୍ ଓ ସ୍ପେଶାଲ୍ ରେଡ୍ ଟିମ୍‌କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ ସ୍ଥାନୀୟ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଭିଯୁକ୍ତମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ପରେ ଗତ ଜୁଲାଇ ୨୫ରେ ରାମନାଗୁଡ଼ା ଥାନା ଅଞ୍ଚଳରୁ ୩.୫ ଭରି ସୁନା ଚୋରି ଏବଂ ଅଗଷ୍ଟ ୧ ତାରିଖରେ ଦୋରାଗୁଡ଼ା ଥାନା ଅଞ୍ଚଳରୁ ପ୍ରାୟ ୩.୫ ଭରି ସୁନା ଗହଣା ଚୋରି ହୋଇଥିବା େନଇ ମାମଲା ରୁଜୁ ହୋଇଥିଲା। ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ଜ୍ଞାନକୌଶଳ ଓ ଗୁଇନ୍ଦା ସୂଚନାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇବା ପରେ ପୋଲିସ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କ ନିକଟରେ ପହଞ୍ଚିଥିଲା। ପରେ ସେମାନଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚରା କରିଥିଲେ। ପଚରାଉଚରା େବଳେ ଅଭିଯୁକ୍ତମାନେ ତାଲା ବନ୍ଦ ଥିବା ଘରକୁ ପ୍ରଥମେ ରେକି କରୁଥିଲେ। ପରେ ସେମାନଙ୍କ ଯାନବାହନ ଓ ସମ୍ପତ୍ତିକୁ ଆକଳନ କରି ଟାର୍ଗେଟ କରି ଚୋରି କରୁଥିଲେ I ଚୋରି ସୁନାକୁ ବିକ୍ରି କରିବାରେ ଅସୁବିଧା ହେଉଥିବା ଯୋଗୁଁ ଅଭିନବ ଉପାୟ ବାହାର କରିଥିଲେ। ଏପରିକି ଚୋରି କରାଯାଇଥିବା ସୁନା ଅଳଙ୍କାରକୁ ଚିହ୍ନଟ ନ ହେବା ପାଇଁ ଗ୍ୟାଙ୍ଗ୍‌ରେ ଥିବା କାରିଗରଙ୍କ ସହାୟତାରେ ତରଳାଇ ନୂଆ ରୂପ ଦିଆଯାଉଥିଲା। ପରେ ସେହି ସୁନାକୁ ଗୋଲ୍ଡ ଲୋନ୍ ସଂସ୍ଥାରେ ବନ୍ଧକ ରଖିବା ସହ କମ୍ ଦାମରେ ବିକ୍ରି କରି ଟଙ୍କା ହାସଲ କରୁଥିବା େନଇ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସୂଚନା େଦଇଛନ୍ତି। େସ ପୁଣି କହିଛନ୍ତି, ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ରାୟଗଡ଼ା, କାଶୀପୁର, ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ଗୁଣୁପୁର, କୋରାପୁଟ ଓ ନବରଙ୍ଗପୁର ଆଦି ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ସଙ୍ଗୀନ ମାମଲା ରହିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ େକାର୍ଟ ଚାଲାଣ କରାଯାଇଛି। ଏହି ସମ୍ବାଦିକ ସମ୍ମିଳନୀରେ ରାୟଗଡା ଏସଡିପିଓ ଗୌରହରି ସାହୁ, ଗୁଣପୁର ଏସଡିପିଓ ବାବୁଲି ନାୟକ, ରାୟଗଡା ଆଇଆଇସି କେଶବ ଷଡ଼ଙ୍ଗୀ,ଟିକିରି ଆଇଆଇସି ପ୍ରଶାନ୍ତ ସ୍ୱାଇଁ, ଗୁଣପୁର ଆଇଆଇସି କେକେବିକେ କଁହର, ଅଣ୍ଡ୍ରାକଞ୍ଚ ଆଇଆଇସି ଶିବଜି ପଣ୍ଡା, ଦୋରାଗୁଡା ଆଇଆଇସି ନୀଳକଣ୍ଠ ବେହେରା, ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।